ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ ପରିବାର ଲୋକେ

148

କନକ ବ୍ୟୁରୋ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସି  ନେହୁରା ହୋଇଛନ୍ତି ଜଣେ ଜଣେ ମାଆ । ଆଉ ଅନୁରୋଧ କରୁଛନ୍ତି, ତାଙ୍କ ଅଲିିଅଳ ଝିଅକୁ ତାଙ୍କ କୋଳକୁ ଫେରାଇ ଦିଆଯାଉ ।

ଯାଜପୁର ଜିଲ୍ଲା ବିଝାଂରପୁରର କୁନି ଝିଅ ପିହୁ, ନିଖୋଜ ହେବାର ୬ ମାସ ବିତିଗଲାଣି । ହେଲେ ପିହୁର ପତା ମିଳୁନାହିଁ । ପୁଲିସ ଓ ଜିଲ୍ଲା ପ୍ରଶାସନ ଠାରୁ ନିରାଶ ହେବା ପରେ ଏବେ ମନ୍ତ୍ରୀଙ୍କ ଘର ଆଗରେ ସପରିବାର ଆସି ଧାରଣାରେ ବସିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ସହାୟତା କଲେ ତାଙ୍କ ଝିଅଙ୍କୁ ଫେରି ପାଇବେ ବୋଲି ପରିବାର ଆଶା ରଖିଛନ୍ତି ।

୨୦୨୦ ଅଗଷ୍ଟ ୯ ତାରିଖରେ ସାଙ୍ଗମେଳରେ ଘର ଦାଣ୍ଡରେ ଖେଳୁଥିବା ୨ ବର୍ଷର କୁନି ଝିଅ ପିହୁ ହଠାତ୍ ହୋଇଯାଇଥିଲା ନିଖୋଜ । ଏତଲା ପରେ ପୁଲିସ ତତ୍ପରତା ଦେଖାଇନଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ଗତ ୪ ତାରିଖରେ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ହେଲେ ଗରିବ ହୋଇଥିବାରୁ ତାଙ୍କ କଥାକୁ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି କୁନି ଝିଅ ପିହୁ ଏବେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରୁଛନ୍ତି ପିହୁଙ୍କ ବାପା ମାଆ ।