ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ସଂଯୋଗ । ଡୁଙ୍ଗୁରୀ ସାହି ବସ୍ତିରେ ପହଂଚିଲା ଟ୍ରାନ୍ସଫର୍ମର ଓ ଇଲେକଟ୍ରିକ ପୋଲ୍

842

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ସଂଯୋଗ । କୁହାଯାଉଛି ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡାର କେତେର ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନଥିଲା । ଆବଶ୍ୟ ଦ୍ରୌପଦୀ ମୁର୍ମୁ ଏହି ଗାଁରେ ରୁହନ୍ତି ନାହିଁ । କାରଣ ଗାଁଠାରୁ ୨୦ କିଲୋମିଟର ଦୂର ରାଇରଙ୍ଗପୁର ପୌରାଞ୍ଚଳରେ ରହୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ହେଲେ ଏବେ ବି ତାଙ୍କ ଗାଁ ବିଜୁଳି ଆଲୋକଠାରୁ ଦୂରରେ ରହିଥିଲା । ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାଁ ଘୋଷଣା ହେବାପରେ ତତ୍ପରତା ପ୍ରକାଶ ପାଇଛି ।
ଏହି ଅଂଚଳରେ ବିଜୁଳି ବିତରଣ କରୁଥିବା ଟାଟା ପାୱାର କମ୍ପାନି ଟ୍ରାନ୍ସଫରମର, ଇଲେକଟ୍ରିଲ ପୋଲ ଓ ମାଟିଖୋଳା ମେସିନ ଧରି ପହଂଚିଛି । ତୁରନ୍ତ ବିଜୁଳି ପହଂଚିନଥିବା ଘରେ ବିଦ୍ୟୁତ ସଂଯୋଗ କରିବାକୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ଉପରବେଡାରେ ପ୍ରାୟ ସାଢେ ୩ ହଜାର ଲୋକ ରହୁଥିବାବେଳେ ବଡସାହିରେ ବିଜୁଳି ପହଂଚୁଛି । କିନ୍ତୁ ଡୁଙ୍ଗୁରି ସାହିରେ ଥିବା ୧୪ଟି ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନାହିଁ । କୁହାଯାଉଛି ଜଙ୍ଗଲ ଜମିରେ ଘର କରିଥିବାରୁ ଏହି ଘରଗୁଡିକୁ ବିଜୁଳି ଦିଆଯାଇନଥିଲା । ପୂର୍ବରୁ କେବେ ଏନେଇ ଆଲୋଚନା ହେଉନଥିବାବେଳେ, ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପରେ ଗଣମାଧ୍ୟମ ପହଂଚିବାରୁ ଘଟଣା ଜଣାପଡିଥିଲା । ଉପରବେଡା ଡୁଙ୍ଗୁରୁସାହି ବସ୍ତିରେ ଦ୍ରୌପଦୀ ମୁର୍ମୁଙ୍କ ପୁତୁରା ବିରଂଚି ନାରାୟଣ ଟୁଡୁ ତାଙ୍କ ପତ୍ନୀ ଓ ୨ ପିଲାଙ୍କ ସହ ରୁହନ୍ତି ।