ଗର୍ଭପାତ ଅଧିକାର ପ୍ରତ୍ୟାହାରକୁ ନେଇ ଆମେରିକାରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମହିଳା

172

କନକ ବ୍ୟୁରୋ: ଗର୍ଭପାତ ଆଇନକୁ ନେଇ ଆମେରିକାର ସୁପ୍ରିମକୋର୍ଟଙ୍କ ରାୟକୁ ଜୋରଦାର ବିରୋଧ । ସାରା ଦେଶରେ ହଜାର ହଜାର ସଂଖ୍ୟାର ମହିଳା ରାସ୍ତାକୁ ଓହ୍ଲାଇ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ବିରୋଧ କରିଛନ୍ତି । ଲସ୍ ଆଞ୍ଜେଲ୍ସ୍ ଭଳି ବଡ ବଡ ସହରରେ ମହିଳାମାନେ ପ୍ଲା-କାର୍ଡ ଧରି ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି ।

୫୦ ବର୍ଷର ଆଇନରେ ପରିବର୍ତନ କରି ଗର୍ଭପାତ ଅଧିକାର ଆଉ ଆଇନ ସମ୍ମତ ନୁହେଁ ବୋଲି କୋର୍ଟ ରାୟ ଦେଇଥିଲେ । ବିକ୍ଷୋଭ ତେଜୁଥିବା ବେଳ ରାଷ୍ଟ୍ରପତି ଜୋ ବାଇଡେନ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ନୈରାଶ୍ୟଜନକ ବୋଲି କହିବା ସହ କୋର୍ଟ ଏଭଳି ରାୟ ଦେବା କଥା ନୁହେଁ ବୋଲି କହିଛନ୍ତି । ତେବେ ଗର୍ଭପାତ ଦେଇ ରାଜ୍ୟଗୁଡିକୁ ନିଜ ନିଜ ସ୍ତରରେ ଆଇନ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବିଧାନ ଗର୍ଭପାତ କରିବାର ଅଧିକାର ଦେଇ ନାହଁ । ତେଣୁ ପୂର୍ବ ରାୟ କାଏମ ରହିବ ନାହିଁ ବୋଲି ବିଚାରପତି ସାମୁଏଲ ଓଲିଟୋ କହିଛନ୍ତି ।

ଏହାକୁ ବିରୋଧ କରି ମହିଳାମାନେ ବିକ୍ଷୋଭ ପଦର୍ଶନ କରିବା ସହ କେଉଁ ଆଧାରରେ ଆଇନ ଉଚ୍ଛେଦ ହେଲା ତାର ଜବାବ ମାଗିଛନ୍ତି ପ୍ରତିବାଦକାରୀ । ତେବେ ଫେସବୁକର ମାଲିକ ମେଟା ଏବଂ ୱାଲର୍ଟ ଡିସନୀ ଭଳି ବଡ ବଡ କମ୍ପାନୀ ମହିଳାମାନଙ୍କ ସପକ୍ଷରେ ବାହାରିଛନ୍ତି । ସେମାନେ ମହିଳାମାନଙ୍କ ଗର୍ଭପାତ ସେବା ପାଇଁ ସମସ୍ତ ଯାତ୍ରା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । କହିରଖୁଛୁ ଯେ, ୧୯୭୩ ମସିହାରୁ ଆମେରିକାରେ ଗର୍ଭପାତ ଏକ ସାମ୍ବିଧାନିକ ଅଧିକାର ଥିଲା । କିନ୍ତୁ ଏହି ଆଇନକୁ ଅନେକ ରକ୍ଷଣଶୀଳ ଧାର୍ମିକ ସଙ୍ଗଠନ ବିରୋଧ କରୁଥିଲେ ।