ଜନ୍ମ ପରେ ଆଉ ତୃତୀୟ ଲିଙ୍ଗୀ ପିଲାଙ୍କୁ ଘରୁ ତଡି ପାରିବେନି ବାପାମାଆ । କିନ୍ନରଙ୍କ ପାରିବାରିକ ଅଧିକାର ଉପରେ ଖସଡା ପ୍ରସ୍ତୁତ ।

478

କନକ ବ୍ୟୁରୋ: ସତ୍ୟ ସୁନ୍ଦରରୁ ସାଧନା, ମାୟାଧରରୁ ମୀରା । ବଦଳିଗଲା ନାଁ, ବଦଳିଗଲା ପରିଚୟ । ଦିନେ ଯେଉଁ ପିଲା ଜନ୍ମହେବା ପରେ ବାପା ମାଆ ଖୁସିରେ ଫାଟିପଡୁଥିଲେ । କିଛିଦିନ ପରେ ସେହି ପିଲାଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଗଲେ ବାପାମାଆ । ତୃତୀୟ ଲିଙ୍ଗୀ ବୋଲି ସନ୍ଦେହ କରି ଅବହେଳା କଲା ପରିବାର । ତାପରେ ବଦଳିଗଲା ଜୀବନର ମୋଡ, ବଞ୍ଚିବା ପାଇଁ ଆରମ୍ଭ ହେଲା ସଙ୍ଘର୍ଷ । ହେଲେ…

  • ଆଉ ଅବହେଳିତ ହେବେନି କିନ୍ନର
  • ତୃତୀୟ ଲିଙ୍ଗୀଙ୍କୁ ତଡିପାରିବନି ପରିବାର
  • ଅନ୍ୟଙ୍କ ପରି ଏମାନେ ବି ରହିବେ ଘରେ

ଆଉ ତୃତୀୟ ଲିଙ୍ଗୀ ପିଲାଙ୍କୁ ଘରୁ ତଡିପାରିବେନି ପରିବାର ଲୋକେ । ଜନ୍ମ ପରେ ଯଦି ହାବଭାବ, ଚାଲି ଚଳନ କିନ୍ନରଙ୍କ ପରି ହୁଏ ତେବେ ଲୋକ ଲଜ୍ଜାରେ ସେମାନଙ୍କୁ ଘରୁ ବାହାର କରିପାରିବେନି ବାପାମାଆ । କାରଣ ଅନ୍ୟମାନଙ୍କ ପରି ସେମାନଙ୍କର ବି ବଞ୍ଚିବାର ଅଧିକାର ରହିଛି । ଘରେ ଏକାଠି ଚଳିବାର, ସାଙ୍ଗ ହୋଇ ଜିଇଁବାର ହକ୍ ରହିଛି । ଯଦି ଏଥିରେ କିଛି ବ୍ୟତିକ୍ରମ ହୁଏ ତେବେ ଆଇନର କାଠଗଡାକୁ ଆସିବେ ପରିବାର ଲୋକ । କାରଣ ତୃତୀୟ ଲିଙ୍ଗୀଙ୍କ ପାରିବାରିକ ଓ ସାମାଜିକ ଜୀବନଗତ ଅଧିକାରକୁ ନେଇ ଏକ ଖସଡା ପ୍ରସ୍ତୁତ କରିଛନ୍ତି ସରକାର ।

କିନ୍ନରମାନେ କେମିତି ସାମାଜିକ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି କ୍ଷେତ୍ରରେ ସମ୍ମାନର ସହ ଜୀବନଯାପନ କରିପାରିବେ ତାହା ତ ସ୍ଥିର ହୋଇଛି ହେଲେ ଟ୍ରାନ୍ସଜେଣ୍ଡର ଡ୍ରାଫ୍ଟ ପଲିସିରେ ରାଇଟ୍ ଟୁ ଫ୍ୟାମିଲି ଲାଇଫ ଉପରେ ଅଧିକ ଫୋକସ ଦିଆଯାଇଛି । ଯେଉଁ ଚିଠା ପ୍ରସ୍ତାବରେ, କିନ୍ନରଙ୍କ ପାରିବାରିକ ଅଧିକାରକୁ ଗୁରୁତ୍ୱ ଦିଆଯାଇଛି ।

-ଯଦି ଜନ୍ମ ପରେ ପିଲାଟି ତୃତୀୟ ଲିଙ୍ଗୀ ହୋଇଥାଏ ତେବେ କୋର୍ଟଙ୍କ ଅନୁମତି ବିନା ପିଲାଙ୍କୁ ଅଲଗା କରିପାରିବେନି ବାପାମାଆ

-ଯେଉଁଠି ନିଜ ବାପାମାଆ ରହୁଛନ୍ତି କିମ୍ବା ପରିବାର ଲୋକ ବାସ କରୁଛନ୍ତି ସେଠାରେ ପ୍ରତ୍ୟେକ କିନ୍ନରଙ୍କର ରହିବାର ଅଧିକାର ଅଛି ।

-ପ୍ରତ୍ୟେକ ତୃତୀୟ ଲିଙ୍ଗୀ ଅନ୍ୟମାନଙ୍କ ପରି ଭେଦଭାବ ବିନା ଘରର ସବୁ ସୁବିଧା ପାଇପାରିବେ । ସବୁଥିରେ ସାମିଲ ହୋଇପାରିବେ ।

କିନ୍ନରଙ୍କ ପାରିବାରିକ ସମସ୍ୟାର ସମାଧାନ ପାଇଁ ଏମିତି ଏକ ସୁନ୍ଦର ପ୍ରସ୍ତାବ ଆଣିଛନ୍ତି ଓଡିଶା ସରକାର । ୨୦୧୧ର ଜନଗଣନା ଅନୁସାରେ ଓଡିଶାରେ ୨୦ ହଜାର ୩୩୨ ଜଣ କିନ୍ନର ଥିବା ବେଳେ ସେମାନଙ୍କ ପାଇଁ ଆସିଛି ଡ୍ରାଫ୍ଟ ପଲିସି ।

ତେବେ କଣ ପାଇଁ କିନ୍ନରମାନେ ସମାଜରେ ହଇରାଣ ହେଉଛନ୍ତି ? କଣ ପାଇଁ ଅବହେଳାର ଅଗଣାରେ ବଢି ଜୀବନ ବିତାଉଛନ୍ତି? କଣ ପାଇଁ ସଙ୍ଘର୍ଷ କରି ଆଗକୁ ବଢୁଛନ୍ତି? ବୋଧହୁଏ ତାର ମୂଳ କାରଣ ପରିବାର ହୋଇପାରେ । କାରଣ ଯେବେ ପିଲାଟି ଘରେ ଜନ୍ମ ନିଏ ସେବେ ଘରେ ଖୁସିର ମାହୋଲ ଥାଏ ହେଲେ ଯେବେ ଜଣାପଡେ ସେ ପୁଅ କି ଝିଅ ନୁହେଁ, ତୃତୀୟ ଲିଙ୍ଗୀ । ସେବେ ଆରମ୍ଭ ହୁଏ ଘୃଣା । ଲୋକଲଜ୍ଜା ଭୟରେ ବାପାମାଆ ତାକୁ ଘରୁ ବାହାର କରି ଦିଅନ୍ତି । ସମସ୍ତଙ୍କ ଠାରୁ ଭିନ୍ନ ହେତୁ ସମାଜରେ ବଞ୍ଚିବା ବି କଷ୍ଟ ହୁଏ । ମୁଣ୍ଡଟେକି ସମ୍ମାନରେ ଚାଲିବା ବି କାଠିକର ପାଠ ହୋଇଯାଏ । ଘର ଦୁଆର ବନ୍ଧ ଡେଇଁ ଥରେ ବାହାରକୁ ବାହାରି ଆସିଲେ ଆଉ ଜୀବନରେ ଖୁସି ରହେନା । ଦୁଃଖର ଦିନ ଆରମ୍ଭ ହୁଏ । କିଏ ଖାଇବାକୁ ପାଏନି, କିଏ ରହିବାକୁ ହଇରାଣ ହୁଏ । ସେ ତୃତୀୟ ଲିଙ୍ଗି ବୋଲି ଟାହିଟାପରା ସହିବାକୁ ପଡେ । ପରର ଲୋଲୁପ ନଜରରେ ନିଇତି ଝୁଣ୍ଟିବାକୁ ପଡେ । ରାସ୍ତାଘାଟ, ବସଷ୍ଟାଣ୍ଡ, ହୋଟେଲ, ବଜାର ସବୁଠି କିନ୍ନରକୁ କଷ୍ଟ ଓ ସଂଘର୍ଷର ଜୀବନ ବିତେଇବାକୁ ପଡେ ।

ଏଇ ଯେମିତି ମାୟାଧରରୁ ମୀରା ପରିଡା ଆଉ ସତ୍ୟସୁନ୍ଦରରୁ ସାଧନା ମିଶ୍ର ବନିଗଲେ ଏମାନେ ଦୁଇଜଣ । ଘରୁ ଅବହେଳା ହେବା ପରେ ଅନେକଙ୍କ ଜୀବନ ଦୁର୍ଦ୍ଦଶାରେ କଟେ । ଯିଏ ଜଞ୍ଜାଳର ବାଜି ଜିତିଗଲା ସିଏ ଜୀବନକୁ ଜିତିଗଲା ଆଉ ଯିଏ ହାରିଗଲା ସେ ସେମିତି ରହିଗଲା । ତେବେ କିନ୍ନରଙ୍କୁ ସମାନ ଅଧିକାର, ସମାନ ସୁବିଧା ସୁଯୋଗ ଦେବାକୁ ସରକାର, ନ୍ୟାୟାଳୟ ଯେତେ ଆଇନ କାନୁନ କଲେ ବି , ଯେତେ ନିୟମ ଆଣିଲେ ବି ଯେପର୍ଯ୍ୟନ୍ତ କିନ୍ନର ଜନ୍ମ ହେଉଥିବା ପରିବାରର ମାନସିକତା ନବଦଳିଛି, ସେମାନଙ୍କ ଚିନ୍ତାଧାରା ନବଦଳିଛି ସେପର୍ଯ୍ୟନ୍ତ ଏମିତି ଅବହେଳା ଆଉ ହଇରାଣ ହେଉଥିବ କିନ୍ନର ସମାଜ । ତେଣୁ ଆସନ୍ତୁ ମାନସିକତା ପରିବର୍ତ୍ତନ କରିବା । ଘରେ ଯଦି ୩ୟ ଲିଙ୍ଗୀ ପିଲାଟେ ଜନ୍ମ ହେଉଛି ତାକୁ ଅଣଦେଖା ନକରି, ଭେଦଭାବ ନକରି ମଣିଷ ଭଳି ବ୍ୟବହାର କରନ୍ତୁ…