ବାହାରୁ ନେତା ଆଣି ଲଢାଉଛନ୍ତି, ସମ୍ବଲପୁର ମାଟି ପ୍ରତି ଅବମାନନା ହୋଇଛି । ବିଜେଡିରୁ ଇସ୍ତଫା ଦେବା ପଛର କାରଣ କହିଲେ ରାସେଶ୍ୱରୀ ।

1,036

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ପଛର କାରଣ କହିଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡିଛି । ବିଧାୟିକା ଥିବା ବେଳେ ସମ୍ବଲପୁରରେ ବହୁତ କାମ କରିଛୁ । ଯାହା ୨୫ ବର୍ଷରେ ହୋଇନଥିଲା ତାହା ମୋ ସମୟରେ ହୋଇଥିଲା । ୨୦୧୯ରୁ ୨୦୨୪ ବିଧାୟିକା ନଥିଲେ ମଧ୍ୟ ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରୁଥିଲି । ଆଜି ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା ସମ୍ବଲପୁରକୁ ଅବମାନନା ଭଳି । ଯେଉଁ ଲୋକଙ୍କୁ ଅଯୋଗ୍ୟ ଭାବି ମନ୍ତ୍ରୀପଦରୁ ବିଦା କଲେ ତାଙ୍କୁ ଏବେ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛନ୍ତି । ଏହା ସମ୍ବଲପୁର ଲୋକଙ୍କ ପ୍ରତି ଅବମାନନା । ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେଡି ଯାହାକୁ ଅଯୋଗ୍ୟ ବୋଲି କହିଥିଲା ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ସମ୍ବଲପୁରରେ କଣ ନେତା ନାହାନ୍ତି ଯେ, ବାହାରୁ ନେତା ଆଣି ପ୍ରାର୍ଥୀ କରିବେ । ସମ୍ବଲପୁରର ଗାରିମା ନଷ୍ଟ ହେଉଛି । ସମାଜସେବା କରୁଥିଲି, କରୁଛି, କରୁଥିବି । ଆଗାମୀ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରହିବିନି । ସମ୍ବଲପୁରର ସ୍ୱାଭିମାନକୁ ଦୃଷ୍ଟିରେ ରଖି ସମ୍ବଲପୁରର ଜନତା ନିଷ୍ପତ୍ତି ନେବେ ।

ଏହାସହ ଦଳ ଛାଡିବା ପ୍ରସଙ୍ଗରେ ରାସେଶ୍ୱରୀ କହିଛନ୍ତି, ଦଳ ସହିତ ଏତେ ଦିନର ସମ୍ପର୍କ ଥିଲା । ଏବେ ଦଳ ଛାଡିବା ବେଳକୁ କଷ୍ଟ ଲାଗୁଛି । କିନ୍ତୁ ପାର୍ଟି ଅପେକ୍ଷା ମୋ ପାଇଁ ମାଟି ଆଗ । ସମ୍ବଲପୁରର ମାଟିକୁ ଅବମାନନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିନି, ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇଛି । କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରହିବିନି ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି । ଏହାସହ କୌଣସି ଦଳକୁ ଯିବାର ନାହିଁ କି ପ୍ରାର୍ଥୀ ହେବାର ନାହିଁ ବୋଲି କହିଛନ୍ତି ରାସେଶ୍ୱରୀ । ଏପରିକି ଏହାକୁ ରାଜନୈତିକ ସନ୍ନ୍ୟାସ ବୋଲି କହିପାରନ୍ତି ବୋଲି ସ୍ପଷ୍ଟ କରିଛନ୍ତି ରାସେଶ୍ୱରୀ । ମୋ ସହ ଅନେକ ଦଳୀୟ କର୍ମୀ ମଧ୍ୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ମୋ ସହିତ ଥିବା କର୍ମୀ ଯାହା ବିବେକ ଅନୁଯାୟୀ ନିଷ୍ପତ୍ତି ନେବେ ସେଥିରେ କାହାକୁ କିଛି କହିବିନି । ଦଳ ସମ୍ବଲପୁରକୁ ଯେଉଁ ଦୃଷ୍ଟିରେ ଦେଖିବା କଥା ତାହା କଲା ନାହିଁ । ଯାହା ମୋତେ କଷ୍ଟ ଦେଲା ବୋଲି କହିଛନ୍ତି ରାସେଶ୍ୱରୀ ।