୪ ବିଧାୟକଙ୍କର ଟିକେଟ୍ କାଟିଲା ବିଜେଡି । ଜାଣନ୍ତୁ ନୂଆ ମୁହଁ ଭାବେ କାହାକୁ ମିଳିଲା ସୁଯୋଗ?

4,353

କନକ ବ୍ୟୁରୋ : ସପ୍ତମ ପର୍ଯ୍ୟାୟରେ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୬ ଜଣଙ୍କ ମଧ୍ୟରୁ ୫ ଆସନରେ ବିଜେଡି ନୂଆ ମୁହଁକୁ ଭରସିଥିବା ବେଳେ ୪ ବିଧାୟକଙ୍କର ଟିକେଟ କାଟିଛି । କେବଳ କାକଟପୁର ଆସନରେ ତୁଷାରକାନ୍ତି ବେହେରାଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି । କିନ୍ତୁ ଏହି ଆସନରୁ ବିଜେଡି ନେତା ସୁରେନ୍ଦ୍ର ସେଠୀଙ୍କୁ ନିରାଶ ହେବାକୁ ପଡିଛି ।

ଟିକେଟ କଟିଥିବା ୪ ବିଧାୟକଙ୍କ ଆସନ ଗୁଡିକ ମଧ୍ୟରେ ରହିଛି ବରୀ, ହିନ୍ଦୋଳ, ରଘୁନାଥପାଲ୍ଲୀ ଏବଂ ବାଲିକୁଦା-ଏରସମା । ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ଦଳ ପୁଣିଥରେ ଭରସା କରିପାରିନି । ବରଂ ଏହି ଆସନରେ ଯୁବ ଚେହେରା ଭାବେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଭରସିଛି ଦଳ । ବିଶ୍ୱରଞ୍ଜନ ଏହା ପୂର୍ବରୁ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି ହିନ୍ଦୋଳ ଆସନରୁ ଢେଙ୍କାନାଳ ସାଂସଦ ଥିବା ମହେଶ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଏଠାରେ ଦଳ ସୀମାରାଣୀ ନାୟକଙ୍କ ଟିକେଟ କାଟିଛି । ଅନୁଭବୀ ନେତା ଭାବେ ପୁଣିଥରେ ବିଧାନସଭା ନିର୍ବାଚନ ଲଢିବାକୁ ମହେଶଙ୍କୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେହିଭଳି ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାଶଙ୍କୁ ଏଥର ନିରାଶ ହେବାକୁ ପଡିଛି । ଏହି ଆସନରେ ଦଳ ଶାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ କରିଛି । ଗତଥର ବିଜେପି ଛାଡି ବିଜେଡିରେ ଯୋଗ ଦେଇ ଟିକେଟ ହାତେଇବା ସହ ବିଜୟୀ ହୋଇଥିଲେ ରଘୁନନ୍ଦନ । ଏପରିକି ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସୋମବାର ସକାଳେ ଟିକେଟ ଘୋଷଣାର କିଛି ସମୟ ପୂର୍ବରୁ ରଘୁନନ୍ଦନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ତେଣୁ ରଘୁନନ୍ଦନଙ୍କ ସହ ଆଲୋଚନା ପରେ ଦଳ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ସେହିଭଳି ରଘୁନାଥପାଲ୍ଲୀରୁ ସୁବତ୍ର ତରାଇଙ୍କ ଟିକେଟ କାଟିଛି ବିଜେଡି । ଏହି ଆସନରେ ସୁବତ୍ରଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । ସେହିଭଳି ବାଙ୍ଗିରିପୋଷି ଆସନରେ ବିଧାୟକ ଥିବା ସୁଦାମ ମାରାଣ୍ଡିଙ୍କୁ ବିଜେଡି ପୂର୍ବରୁ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେଣୁ ଏହି ସ୍ଥାନରେ ନୂଆ ଚେହେରା ଭାବେ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।