କେନ୍ଦ୍ରାପଡାରେ ଭାଗ ହୋଇଯିବ କି ବିଜେଡି ଭୋଟବ୍ୟାଙ୍କ ? ଦଳ ଛାଡିଛନ୍ତି ସିପ୍ରା, ଗୀତାଞ୍ଜଳି, ଫାଇଦା ନେବ କିଏ?

995

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, କେନ୍ଦ୍ରାପଡା ରାଜନୀତି ସେତିକି ରୋଚକ ହେଉଛି । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା କେନ୍ଦ୍ରାପଡା ବିଧାନସଭା ଆସନରେ ଗତ କିଛି ଦିନ ମଧ୍ୟରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଖାସକରି ବିଜେଡି ଶିବିରରେ । ଗଣେଶ୍ୱର ବେହେରା ବିଜେଡିକୁ ଆସିବା ପରେ ଦଳ ଶକ୍ତିଶାଳୀ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଗଣେଶ୍ୱର ଦଳକୁ ଆସିବା ପରେ ଦଳର ୨ ତୁଙ୍ଗ ନେତା ବିଜେଡି ଛାଡିବା ଏବେ କେନ୍ଦ୍ରାପଡା ବିଜେଡି ରାଜନୀତିର ଅଙ୍କକୁ ଗୋଳମାଳିଆ କରିଛି ।

ଗଣେଶ୍ୱର ବିଜେଡିରେ ମିଶିବା ପରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଦଳ ଛାଡି କଂଗ୍ରେସରେ ଯୋଗ ଦେବା ସହ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ମଧ୍ୟ ବିଜେଡି ଛାଡିବା ସହ ବିଜେପିକୁ ଯିବାକୁ ସଂକେତ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, କେନ୍ଦ୍ରାପଡା ଆସନ ପାଇଁ ଉଭୟ ସିପ୍ରା ଓ ଗୀତାଞ୍ଜଳି ଆଶାୟୀ ଥିଲେ । କିନ୍ତୁ ଗଣେଶ୍ୱର ଶଙ୍ଖ ଫୁଙ୍କି ବିଜେଡି ସମୀକରଣକୁ ଗୋଳମାଳିଆ କରିବା ପରେ ଉଭୟ ସିପ୍ରା ଓ ଗୀତାଞ୍ଜଳି ବିଜେଡିକୁ ବାଏ ବାଏ କରିଛନ୍ତି ।

ପୂର୍ବରୁ ଗଣେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଭୟ ସିପ୍ରା ଓ ଗୀତାଞ୍ଜଳିଙ୍କ କ୍ୟାମ୍ପ ବିରୋଧ କରି ଆସୁଥିଲେ । ଏବେ ଉଭୟ ନେତ୍ରୀ ଦଳ ଛାଡିବା ପରେ ବିଜେଡି ଭୋଟବ୍ୟାଙ୍କ ଭାଗ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯେହେତୁ ଗୀତାଞ୍ଜଳି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରହିଛନ୍ତି ତେଣୁ ଦଳରେ ତାଙ୍କର ଦବଦବା ଥିଲା ଏବଂ ନିଜସ୍ୱ ସଙ୍ଗଠନ ରହିଛି । ନିର୍ବାଚନର ମାସକ ପୂର୍ବରୁ ଗୀତାଞ୍ଜଳି ଦଳ ଛାଡିବା ବିଜେଡି ଭୋଟବ୍ୟାଙ୍କକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କର ମଧ୍ୟ କେନ୍ଦ୍ରାପଡାରେ ନିଜସ୍ୱ ସଙ୍ଗଠନ ରହିଛି । ତେଣୁ ସିପ୍ରା ବିଜେଡି ଛାଡି କଂଗ୍ରେସକୁ ଯିବା ସହ ପ୍ରାର୍ଥୀ ହେବା ଦ୍ୱାରା କିଛି ଭୋଟ ନିଜ ସପକ୍ଷକୁ ମଧ୍ୟ ନେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଗଣେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ପୂର୍ବରୁ ବିଜେଡି କର୍ମୀ ବିରୋଧ କରୁଥିବାର ନଜିର ରହିଛି । ଅନ୍ୟପଟେ ଗଣେଶ୍ୱର ବିଜେଡିରେ ସାମିଲ ହେବା ସହ ଅନେକ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଦଳରେ ସାମିଲ କରାଇଛନ୍ତି । ଯାହା ବିଜେଡି ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । ଏହାସହ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ତରାଇ ଏବେ ପର୍ଯ୍ୟନ୍ତ ନୀରବ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ଯଦି ବିଜେଡି ଭୋଟବ୍ୟାଙ୍କ ଭାଗ ହୁଏ ଏହା ଗଣେଶ୍ୱରଙ୍କୁ ଅଡୁଆରେ ପକାଇବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି ।