ପିଲାଙ୍କୁ ଟିକା ଓ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା : କେତେ ପିଲା ନେବେ କରୋନା ଟିକା ?

ପ୍ରାୟ ୭ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା ନେବେ ବୁଷ୍ଟର ଡୋଜ; ୬୦ ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକଙ୍କୁ ଭିତରୁ ଚିହ୍ନଟ ହେବେ ଏକାଧିକ ରୋଗ ଥିବା ବ୍ୟକ୍ତି

112

କନକ ବ୍ୟୁରୋ : ପିଲାଙ୍କୁ ଟିକା ଓ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା । ଜାନୁୟାରୀ ୩ରୁ ୨୫ଲକ୍ଷ ୫୩ହଜାର ପିଲାଙ୍କୁ ଦିଆଯିବ କରୋନା ଟିକା । ପ୍ରାୟ ୭ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା ନେବେ ବୁଷ୍ଟର ଡୋଜ । ୬୦ ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକଙ୍କ ଭିତରୁ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ । ସେହିପରି ତୃତୀୟ ଡୋଜରେ ସମାନ ଟିକା ଦିଆଯିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ୫୩ହଜାର ପିଲାଙ୍କୁ ପ୍ରଥମ ଡୋଜ ଟିକାଦେବାର ଲକ୍ଷ୍ୟ ରହିଛି । କମ୍ ଦିନରେ ଯେପରି ଅଧିକ ଡୋଜ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି ବର୍ଗର ପିଲା ଏବେ ସ୍କୁଲ ଯାଉଥିବା ବେଳେ ସେଠାର ଶିବିର ଆୟୋଜନ କରି ଟିକା ଦିଆଯିବ । ଏହା ସହ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରାଯିବ ।

ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଟିମକୁ ପ୍ରସ୍ତୁତ କରାଯାଉଛି । ସେହିପରି ତୃତୀୟ ଡୋଜ ବା ବୁଷ୍ଟର ଡୋଜ ଦେବା ପାଇଁ ଏବେ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହେଉଛି । ୭ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏବଂ ୬୦ ବର୍ଷରୁ ଅଧିକ ୫୨ଲକ୍ଷ ୩୭ହଜାର ଲୋକଙ୍କ ଭିତରୁ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ ।

ଜାନୁଆରୀ ୩ ତାରିଖରୁ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ୧୦ରୁ ଦିଆଯିବ ବୁଷ୍ଟର ଡୋଜ । ଦେଶରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ, ପାଖାପାଖି ସମାନ ସଂଖ୍ୟକ ଆଗ ଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକାର ତୃତୀୟ ଡୋଜ । ସେହିପରି ୬୦ ବର୍ଷରୁ ଅଧିକ ଏବଂ ଏକାଧିକ ରୋଗ ଥିବା ପାଖାପାଖି ୩କୋଟି ଲୋକ ନେଇପାରିବେ ବୁଷ୍ଟର ଡୋଜ । ହେଲେ ବୁଷ୍ଟର ଡୋଜ ଆକାରରେ କେଉଁ ଟିକା ଦିଆଯିବ ତାକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।

କୋଭାକ୍ସିନ ନେଇଥିଲେ ବୁଷ୍ଟରରେ ମିଳିବ କୋଭାକ୍ସିନ, କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ ତୃତୀୟ ଡୋଜରେ ବି ମିଳିବ କୋଭିସିଲ୍ଡ । ତେବେ ଟିକା ମିଶ୍ରଣ ନେଇ ଚାଲିଥିବା କ୍ଲିନିକାଲ ଟ୍ରାଏଲର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ରିପୋର୍ଟ ଆସିବା ପରେ ତୃତୀୟ ବା ବୁଷ୍ଟର ଡୋଜ ଆକାରରେ ଯେକୌଣସି ଟିକା ଦିଆଯାଇପାରିବ ବୋଲି କୁହାଯାଇଛି ।