ଓଡିଶାରେ ହେବ କି ଲକଡାଉନ୍ ? ଜାଣନ୍ତୁ ଏ ନେଇ କ’ଣ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ?

4,319

କନକ ବ୍ୟୁରୋ : ଅନ୍ୟ ରାଜ୍ୟ ତୁଳାନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ତେଣୁ ନାଇଟ୍ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡିପାରେ, ସେହିପରି ରାଜ୍ୟରେ ସଂକ୍ରମଣ ବଢିଲେ ଲକଡାଉନ ଭଳି ନିୟମର ଆବଶ୍ୟକ ପଡିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେପଟେ ଓମିକନକୁ ନେଇ ସେ କହିଛନ୍ତି, ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବିଦେଶରୁ ରାଜ୍ୟକୁ  ଫେରିଥିବା ୧୮ ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମର ଜଣେ ୯ବର୍ଷର ଶିଶୁ ଥିବା ଜଣାପଡିଥିଲା । ସେ ନାଇଜେରିଆରୁ ଫେରି ଓମିକ୍ରନ ଆକ୍ରାନ୍ତ ହୋଇଥିଲେ  । ଏବେ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପକ୍ଷରେ, ଜାନୁଆରୀ ୩ ତାରିଖରୁ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ୧୦ରୁ ଦିଆଯିବ ବୁଷ୍ଟର ଡୋଜ । ଦେଶରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ, ପାଖାପାଖି ସମାନ ସଂଖ୍ୟକ ଆଗ ଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକାର ତୃତୀୟ ଡୋଜ । ସେହିପରି ୬୦ ବର୍ଷରୁ ଅଧିକ ଏବଂ ଏକାଧିକ ରୋଗ ଥିବା ପାଖାପାଖି ୩କୋଟି ଲୋକ ନେଇପାରିବେ ବୁଷ୍ଟର ଡୋଜ । ହେଲେ ବୁଷ୍ଟର ଡୋଜ ଆକାରରେ କେଉଁ ଟିକା ଦିଆଯିବ ତାକୁ ନେଇଥିବା  ଦ୍ୱନ୍ଦ୍ୱ ଦୂର ହୋଇଛି ।

କୋଭାକ୍ସିନ ନେଇଥିଲେ ବୁଷ୍ଟରରେ ମିଳିବ କୋଭାକ୍ସିନ, କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ ତୃତୀୟ ଡୋଜରେ ବି ମିଳିବ କୋଭିସିଲ୍ଡ । ତେବେ ଟିକା ମିଶ୍ରଣ ନେଇ ଚାଲିଥିବା କ୍ଲିନିକାଲ ଟ୍ରାଏଲର ରିପୋର୍ଟକୁ ଅପେକ୍ଷା କରାଯାଇଛି ।   ଏହି ରିପୋର୍ଟ ଆସିବା ପରେ ତୃତୀୟ ବା ବୁଷ୍ଟର ଡୋଜ ଆକାରରେ ଯେକୌଣସି ଟିକା ଦିଆଯାଇପାରିବ ବୋଲି କୁହାଯାଇଛି ।