ଧର୍ମଶାଳା ରାଜନୀତି ମାହୋଲ ସରଗରମ । ଟିକେଟ ଦୌଡରେ ଥିବା ଆଶାୟୀ ପ୍ରାର୍ଥୀଙ୍କ କସରତ ଆରମ୍ଭ । କିଏ ପାଇବ ଟିକେଟ ?

430

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବଢୁଛି ଯାଜପୁର ଜିଲ୍ଳା ଧର୍ମଶାଳା ରାଜନୀତିର ପାରଦ । ଟିକେଟ ଦୌଡରେ ଥିବା ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥି ଆରମ୍ଭ କରିଦେଇଛନ୍ତି କସରତ । ତିନି ଦଶନ୍ଧି ଧରି ବିଜେଡି ଦୁର୍ଗ ପାଲଟିଥିବା ଧର୍ମଶାଳା ନିର୍ବଚନମଣ୍ଡଳୀରେ ଏଥର କିନ୍ତୁ ବିଜେପି ପାଗ ଭିଡୁଛି ବିଜେଡିକୁ ଟକ୍କର ଦେବାପାଇଁ । ତେବେ କିଏ କେଉଁ ଦଳରୁ ଟିକେଟ ପାଇବ ଓ ଧର୍ମଶାଳା ରାଜନୀତିର ମଙ୍ଗ ଧରିବ ତାକୁ ନେଇ ସାଧାରଣରେ ବଢୁଛି ଉତ୍ସୁକତା ।

ଯାଜପୁରର ଧର୍ମଶାଳା ଓଡିଶାର ଏକ ଚର୍ଚ୍ଚିତ ନିବାଚନମଣ୍ଡଳୀ । ବିଜେଡି ଦୁର୍ଗଭାବେ ପରିଚିତ ଧର୍ମଶାଳା ନିର୍ବାଚନମଣ୍ଡଳୀ । ରାଜ୍ୟ ରାଜନୀତିରେ ନିଜର ଦବଦବା ଜାହିର କରିଥିବା ସ୍ୱର୍ଗତ କଳ୍ପତରୁ ଦାସ ୨୦୧୪ ମସିହାରେ ତାଙ୍କ ପୁଅ ପ୍ରଣବଙ୍କୁ ଧର୍ମଶାଳା ଆସନରୁ ବିଜେଡି ଟିକେଟରେ ଜିତାଇଥିଲେ । ୨୦୧୯ ମସିହାରେ ପ୍ରଣବ ନିଜସ୍ୱ ଉଦ୍ୟମରେ ବିଜେଡି ଟିକେଟରେ ବିଜୟୀ ହୋଇ ଧର୍ମଶାଳାର ମଙ୍ଗ ଧରିଛନ୍ତି । କିନ୍ତୁ ୨୦୨୪ ନିର୍ବାଚନପାଇଁ ଧର୍ମଶାଳାରେ ବିଜେଡି ଟିକେଟ ପାଇଁ ଛାତ୍ରନେତା ଶ୍ରୀକାନ୍ତ ସାହୁ ଆଶାୟୀ ଥିବା ବେଳେ ନିଜର ଅଲଗା ସଙ୍ଗଠନ ଆରମ୍ଭ କରିଦେଇଛନ୍ତି ।

୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥି ହୋଇଥିବା ସ୍ମୃତିରେଖା ପହି ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ । ଧର୍ମଶାଳାରେ ଦୀର୍ଘଦିନ ଧରି ପ୍ରଣବ ପାରିବାରିକ ଶାସନ ଚଳାଇଥିବାରୁ ତୃଣମୂଳ ସ୍ତରରେ ରହିଥିବା ଅସନ୍ତୋଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇ ବିଜେପିର ଜିଲ୍ଳାପରିଷଦ ଭୋଟ ଷାଠିଏ ହଜାରରେ ପହଞ୍ଚିଥିଲା ।

ଅନ୍ୟପକ୍ଷରେ ହିମାଂଶୁ ଶେଖର ସାହୁ ବିଜେପିରେ ଯୋଗଦେବାପରେ ବିଜେପିକୁ ଚଳଚଞ୍ଚଳ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି କଂଗ୍ରେସ ଦଳରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡା ଦୀର୍ଘଦିନ ହେବ କଂଗ୍ରେସ ସଙ୍ଗଠନ ଚଳାଇବା ସହ ଦଳୀୟ ଟିକେଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ତେବେ ଧର୍ମଶାଳା ନିର୍ବାଚନମଣ୍ଡୀରେ ଟିକେଟ କସରତରେ ଥିବା ନେତା କିଏ କେଉଁ ଦଳରୁ ମଙ୍ଗ ଧରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।