ସମସ୍ୟା ଘେରରେ ଗଞ୍ଜାମର ଗାଁ ବରପଲ୍ଲି । ଦୁଃଖ ପାଲଟିଛି ଅନ୍ଧୁଣୀ ନଦୀ । ବର୍ଷା ଦିନରେ ବେହାଲ ସ୍ଥିତି

46

କନକ ବ୍ୟୁରୋ: ନାହିଁ ନାହିଁର ଗାଁ ବରପଲ୍ଲି । ଗାଁକୁ ନାହିଁ ରାସ୍ତା । ଗମନାଗମନରେ ନଦୀ ସାଜୁଛି ବାଧକ । ବର୍ଷା ଦିନରେ ପଣବନ୍ଦୀ ଜୀବନ ବିତାଉଛନ୍ତି ଏହି ଗାଁର ଲୋକେ । ଫଳରେ ବର୍ଷାଋତୁ ଆରମ୍ଭ ହେବା ମାତ୍ରେ କେତେକ ଲୋକ ଗାଁ ଛାଡି ଅନ୍ୟ ସ୍ଥାନରେ ଭଡାରେ ରୁହନ୍ତି , ପୁଣି ବର୍ଷା ଋତୁ ପରେ ଗାଁକୁ ଫେରନ୍ତି । ନଦୀ ଉପରେ ସେତୁ ନଥିବାରୁ ଏହିପରି ସମସ୍ୟା ଦୀର୍ଘ ବର୍ଷ ହେବ ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବରପଲ୍ଲି ଗାଁର ଲୋକେ ।

ଗଞ୍ଜାମ ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ଉପାନ୍ତ ଗାଁ ବରପଲ୍ଲି । ଗାଁରେ ପ୍ରାୟ ୩୨ଟି ପରିବାର ବାସ କରୁଥିବା ବେଳେ ଯିବା ଆସିବା ନେଇ ସମସ୍ୟା ଭୋଗୁଛନ୍ତି ଗାଁର ଲୋକେ । ଲୋକଙ୍କ ପାଇଁ ଅନ୍ଧୁଣି ନଦୀ ପାଲଟିଛି ବାଧକ । ନଦୀରେ ପାଣି ନଥିବା ସମୟରେ ଲୋକେ ନାଳ ରାସ୍ତାରେ ଚାଲିଚାଲି ଯାଆନ୍ତି । ହେଲେ ବର୍ଷା ଦିନ ଆସିଲେ ଗାଁ ଲୋକଙ୍କ ଦୁଃଖ ବଢିଯାଏ । ନଦୀ ଘେରିଥିବା ଗାଁରେ ପାଣି ମାତ୍ରା ବି ବଢିଯାଏ । ଯାହାଫଳରେ ଗାଁ ସମ୍ପ୍ରୁ୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ । ଏହି ଅନ୍ଧୁଣି ନଦୀ ଉପରେ ସେତୁଟିଏ ନିର୍ମାଣ କରିବା ପାଇ ଗ୍ରାମବାସୀ ମାନେ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନକୁ ବହୁବାର ଗୁହାରି କରିସାରିଛନ୍ତି । ହେଲେ ଏବେ ବି କୌଣସି ସୁଫଳ ମିଳିନି । କେବଳ ଭୋଟ ସମୟ ଆସିଲେ ପୁଳା ପୁଳା ପ୍ରତିଶୃତି ଦେଇ ସବୁ ଭୁଲିଯାନ୍ତି ଗାଁର ଦୁଃଖ ।

ଜରୁରୀ ସମୟରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ ଆସିପାରେ ନାହିଁ । ନଦୀରେ ଭରାପାଣି ଆସିଲେ ରୋଗିକୁ ବୋହି ବୋହି ବି ମେଡିକାଲ ନେବା ସମ୍ଭବ ହୁଏ ନାହିଁ । ଗାଁ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ହେଲେ ବର୍ଷା ଦିନରେ ସ୍କୁଲକୁ ଶିକ୍ଷକ ମାନେ ମଧ୍ୟ ଅସିବାରେ ଅସୁବିଧା ହେଉଥିବାରୁ ପ୍ରାୟ ସମୟ ସ୍କୁଲ ବନ୍ଦ ରୁହେ । ଅନ୍ଧୁଣୀ ନଦୀ ଗାଁର ଦୁଃଖ ପାଲଟିଥିବା ବେଳେ ଏବେ ବି ଏହାର କୌଣସି ପ୍ରତିକାର କରାଯାଉନି । ଯାହକୁ ନେଇ ଅସନ୍ତୋଷ ବଢିଚାଲିଛି । ସମସ୍ୟା ଭିତରେ ଥିବା ଏହି ଗାଁର ସମସ୍ୟା ପ୍ରତି ଗୁରୁତ୍ୱଦେବା ସହିତ ସମାଧାନ କରାଯିବା ଜରୁରୀ ହୋଇଛି ।