ସଂକ୍ରମଣ କମୁଛି ଦିଲ୍ଲୀ ଖୋଲୁଛି : ଆଜିଠାରୁ ଦେଶର ରାଜଧାନୀରେ ତୃତୀୟ ପର୍ଯ୍ୟାୟ ଅନଲକ୍; ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏଁ ଖୋଲିବ ଦୋକାନ ବଜାର

119

କନକ ବ୍ୟୁରୋ : ଆଜିଠାରୁ ସର୍ତମୂଳକ ଭାବେ ଦିଲ୍ଳୀରେ ଖୋଲିବ ରେଷ୍ଟୁରାଂଟ । ବସିବାକୁ ଥିବା କ୍ଷମତାର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରେଷ୍ଟୁରାଂଟ ଖୋଲିବାକୁ ଦିଲ୍ଳୀ ସରକାର ଅନୁମତି ଦେଇଛନ୍ତି । ଦିଲ୍ଳୀର ରେଷ୍ଟୁରାଂଟ ଶିଳ୍ପ ପାଇଁ ଏହା ଏକ ବଡ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି । କାରଣ ଅନଲାଇନ ଡେଲିଭରୀ ଓ ଟେକଆୱେ ସେବାକୁ ସରକାର ଅନୁମତି ଦେଇଥିଲେ ବି କରୋନା ଭୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇ ଯାଇଛି ।

ରେଷ୍ଟୁରାଂଟ ଭଳି ଦୀର୍ଘ ଦିନ ହେବ ବନ୍ଦ ରହିଥିବା ସାପ୍ତାହିକ ହାଟକୁ ମଧ୍ୟ କଟକଣାକୁ ମାନି ଖୋଲିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସଂକ୍ରମଣ ହାର କମ୍ ରହୁଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଦିଲ୍ଲୀ ସରକାର ଏଭଳି ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ବିଚାର କରୁଛନ୍ତି । ମନ୍ଦିର ଖୋଲିବ କିନ୍ତୁ ଲୋକ ଯାଇପାରିବେ ନାହିଁ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ ଓ ବସ୍ । ମଲ ଓ ମାର୍କେଟ୍ କମ୍ପେକ୍ଲ ମଧ୍ୟ ଖୋଲିବ । କିନ୍ତୁ କରୋନା କଟକଣା ଭିତରେ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏଗୁଡିକ ଖୋଲିବ ।

ତେବେ ଜିମ୍, ସ୍ପା, ସେଲୁନ, ସିନେମା ହଲ, ପବ୍ଲିକ ପାର୍କ, ୱାଟର ପାର୍କ, ସୁଇମିଂ ପୁଲ , ଶିକ୍ଷାନୁଷ୍ଠାନ, ସାମାଜିକ ଓ ଧାର୍ମିକ ସମାବେଶକୁ ପୂର୍ବଭଳି କଟକଣା ବଳବତର ରହିବ । ଅନ୍ତେଷ୍ଟି ଓ ବିବାହ କାର୍ଯ୍ୟକ୍ରମରେ ୨୦ ଜଣ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଦିଲ୍ଳୀରେ କରୋନା ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ହାର ଲଗାତାରଭାବେ କମି ଚାଲିଛି ।