ଅନଲାଇନ ଠକକୁ ଭଦ୍ରକରୁ ଧରିଲା ଦିଲ୍ଳୀ ପୋଲିସ: ଫେକ ଆଇଡି ଖୋଲି ଧୁଷୁରି ଅଂଚଳର ରାଜେନ୍ଦ୍ର ମଲ୍ଲିକ ୬୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ

ପୋଲିସର ପଚରାଉଚରା ଜାରି

257

କନକ ବ୍ୟୁରୋ: ଅନଲାଇନ ଠକକୁ ଭଦ୍ରକରୁ ଧରିଲା ଦିଲ୍ଳୀ ପୋଲିସ । ଫେକ ଆଇଡି ଖୋଲି ଧୁଷୁରି ଅଂଚଳର ରାଜେନ୍ଦ୍ର ମଲ୍ଲିକ ୬୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନରହରିପୁରସ୍ଥିତ ରାଜେନ୍ଦ୍ରର  ଶଶ୍ୱର ଘରେ ଦିଲ୍ଳୀ ପୋଲିସ ଓ ଧୁଷୁରି ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛନ୍ତି । ଅଭିଯୋଗ ଅନୁସାରେ ରାଜେନ୍ଦ୍ର ବିଭିନ୍ନ ନାମି ଦାମି କମ୍ପାନୀ  ଓ ଦିଲ୍ଲୀ ଏୟାରପୋର୍ଟ ନାଁରେ ଫେକ୍ ଆଇଡି ଖୋଲି ଫ୍ଲାଇଟ୍ ଟିକେଟ ବୁକିଂ କରୁଥିଲେ । ଏଥିରେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇବା ପରେ ଓଡିଶା ଆସି ଚଢ଼ାଉ କରିଥିଲା । ଏବେ ରାଜେନ୍ଦ୍ରଙ୍କୁ ଅଧିକ ପଚରାଉଚରା କରାଯାଉଛି ।

ମିଳିଥିଲା ସୂଚନା ମୁତାବକ, ରାଜେନ୍ଦ୍ର ମଲ୍ଲିକ ଦିଲ୍ଲୀ ବିମାନବନ୍ଦରର ସପ୍ଟୱେର ହ୍ୟାକ କରି ଯୁବକ-ଯୁବତୀଙ୍କୁ ବିମାନବନ୍ଦରେ ଚାକିରି କରାଇଦେବା ଦେଇ ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ। ଏହା ସହ ଟ୍ରାଭେଲ ଏଜେନ୍ସି ଖୋଲିବା ସହ ନକଲି ଆଇଡି ଜରିଆରେ ଅନଲାଇନ ବିମାନ ଏବଂ ଟ୍ରେନ ଟିକେଟ ବୁକ୍ କରୁଥିଲେ। ଚାକିରି ପାଇଁ ସେ ଯୁବକ-ଯୁବତୀଙ୍କୁ ନିଜର ୮ଟି ଆକାଉଣ୍ଟକୁ ପେଟିଏମ ଜରିଆରେ ୧,୦୦୦ଟଙ୍କା ଲେଖାଏଁ ପଠାଇବା ପାଇଁ କହୁଥିଲେ।

ଏଭଳି କରି ସେ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବାର ଅଭିଯୋଗ ହୋଇଛି। ଡିସେମ୍ବର ୨ରେ ଏ ନେଇ ଦିଲ୍ଲୀର ଜଣେ ବାସିନ୍ଦା ଅଭିଯୋଗ କରିବା ପରେ ଭୁବନେଶ୍ବରରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ। ଦୁଇ ଦିନ ଧରି ରାଜେନ୍ଦ୍ରକୁ ଟ୍ରାକ କରିବା ପରେ ଆଜି ଧୁଷୁରୀ ପୁଲିସ ସହାୟତାରେ ରାଜେନ୍ଦ୍ରକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏ ନେଇ ଅଧିକ ତଥ୍ୟ ହାସଲ ପାଇଁ ରାଜେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି।