ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ: ସମର୍ଥନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା; ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ

481

କନକ ବ୍ୟୁରୋ: ଡ଼ିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡ଼ାକରାକୁ ସମର୍ଥନ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚାଷୀଙ୍କ ଆନ୍ଦୋଳନରେ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଥିବା ସେ କହିଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଗୋଟିଏ ପଟେ ସରକାରଙ୍କ ସହ ଆଲୋଚନା ଚାଲିଛି, ଅନ୍ୟପଟେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଂଚମ ବୈଠକ ବସିବ । ପୂର୍ବରୁ ହୋଇଥିବା ୪ଟି ବୈଠକରେ ଘଂଟା ଘଂଟା ଧରି ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି ।

ସେପଟେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ସମସ୍ତ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ ଏବଂ ଦିଲ୍ଲୀକୁ ଆସୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ପ୍ରେସ କନଫରେନ୍ସ କରି କୃଷକମାନେ କହିଛନ୍ତି, ଏମଏସପି ଉପରେ ସରକାରଙ୍କ ସହ ଆଲୋଚନା ଚାଲିଛି, ତେବେ ୩ଟି ଯାକ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ସେମାନେ ଅଟଳ ରହିଛନ୍ତି ।