ଆଜି ସ୍ଥଳଭାଗରେ ମାଡ ହେବ ବାତ୍ୟା : ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ପାଣିପାଗ ବିଭାଗର ଆକଳନ, ଗୋପାଳପୁର-କଳିଙ୍ଗପାଟ୍ଟନମ ମଧ୍ୟରେ ଅତିକ୍ରମ କରିବ ବାତ୍ୟା; ସମୁଦ୍ର ଭିତରେ ଘଂଟାକୁ ୭ କିଲୋମିଟର ବେଗରେ ଗତି କରୁଛି ଗୁଲାବ୍

327

କନକ ବ୍ୟୁରୋ : ଆଜି ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ ବାଥ୍ୟା ଗୁଲାବ । ଏହାର ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟା ଏବେ ଘଂଟା ପ୍ରତି ୭କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି । ଏହି ବାତ୍ୟାର ନାଁ ଦିଆଯାଇଛି ଗୁଲାବ । ଏହା ଗୋପାଳପୁରଠାରୁ ୩୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୩୮୦ କିଲୋମିଟର ଦୂର ପୂର୍ବରେ ରହିିଛି । ଆଜି ସଂଧ୍ୟାରେ ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ ।

ତେବେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ପବନର ବେଗ କମ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଲାବ ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଂଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ଘଂଟା ପ୍ରତି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ପାଣିପାଗ ବିଭାଗ । ବାତ୍ୟାର ପ୍ରଭାବରେ ବଡ଼ ପବନ ହୋଇନପାରେ, ହେଲେ ରବିବାର ଦିନ ୭ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ ଓ ଗୋପାଳପୁରରେ ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ପାରାଦ୍ୱିପ ଓ ଧାମରା ପାଇଁ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ମୋଟ ୧୧ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିପାରେ । କଚ୍ଚା ଘର, ରାସ୍ତା ଘାଟ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ।

ବିଦ୍ୟୁତ ସରବରାହ ଉପରେ ପଡିପାରେ ପ୍ରଭାବ । ଏବଂ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ଫ୍ଲାସ ଫ୍ଲଡ ହେବାର ସମ୍ଭାବନା ରହିଛି । ଋଷିକୂଲ୍ୟା, ନାଗାବଳି, ବାଂଶଧାରା, ମହାନଦୀର ତଳିଆ ଅଂଚଳରେ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି । ଗଜପତି ଓ ଗଂଜାମ ଜିଲ୍ଲାର କିଛି ଅଂଚଳରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି । ବାତ୍ୟାର ଆସୁଥିବାରୁ ୨୮ଟି ଟ୍ରେନ ବାତିଲ କରାଯାଇଛି ଏବଂ ୫ଟି ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି ।