କମ୍ ପବନ, ପ୍ରବଳ ବର୍ଷାର ପୂର୍ବାନୁମାନ : ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି

ସର୍ବାଧିକ ୯୫ କିଲୋମିଟର ବେଗରେ ଝଟକା ଦେଇପାରେ ପବନ; ବାତ୍ୟା ଗୁଲାବର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି

1,230

କନକ ବ୍ୟୁରୋ : ଭୀଷଣ ରୂପ ନେଇଛି ବାତ୍ୟା ‘ଗୁଲାବ’ । ସମୁଦ୍ର ଭିତରେ ବାତ୍ୟା ଏବେ ଘଂଟା ପ୍ରତି ୭କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ଗତି କରୁଛି । ଏହି ବାତ୍ୟାର ନାଁ ଦିଆଯାଇଛି ଗୁଲାବ । ଏହା ଗୋପାଳପୁରଠାରୁ ୩୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୩୮୦ କିଲୋମିଟର ଦୂର ପୂର୍ବରେ ରହିିଛି । ଆଜି ସଂଧ୍ୟାରେ ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ତେବେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ପବନର ବେଗ କମ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଲାବ ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ଘଂଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ଘଂଟା ପ୍ରତି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ବାତ୍ୟା ରୂପ ନେଇଥିଲେ ମଧ୍ୟ ପବନ କମ୍‌ ରହିବ ଏବଂ ବର୍ଷା ଅଧିକ ହେବ। ରବିବାର ଓ ସୋମବାର ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ହେବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ହେବୋର ଆଶଙ୍କା‌ ରହିଛି। ଦୁଇ ଦିନ ଧରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗିରହିବା କାରଣରୁ ଭୂସ୍ଖଳନ ଓ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଏଥିସହ ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା‌ ଆସିପାରେ । ଏପରିକି ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନର ବି ଆଶଙ୍କା ରହିଛି ।

କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ତାହାକୁ ଦୃଷ୍ଟିରେ ରଖି ଉକ୍ତ ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲ‌ାରେ ପ୍ରବଳ ବର୍ଷାକୁ ନଜରରେ ରଖି ‌ଅରେଞ୍ଜ ୱାର୍ଣ୍ଣିଂ, ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୋମବାର ମଧ୍ୟ ବର୍ଷା ଲାଗିରହିବ। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନଜରରେ ରଖି ଅରେଞ୍ଜ ଏବଂ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।