ଜମତରା ଷ୍ଟାଇଲରେ ମୟୂରଭଞ୍ଜର ଘଞ୍ଚ ଜଙ୍ଗଲ ଭିତରୁ ଜାଲ ବିଛାଇଥିଲେ ସାଇବର ଲୁଟେରା। ଘଣ୍ଟାକରେ ପଠାଉଥିଲେ ୫୫ହଜାରରୁ ଅଧିକ ମେସେଜ।

248

କନକ ବ୍ୟୁରୋ: ସାଇବର ଲୁଟେରାମାନେ ମୟୂରଭଞ୍ଜ ଖୁଂଟା ଜଙ୍ଗଲଭିତରେ, ମୋବାଇଲ ଟାୱାର ତଳେ ବସି ସାଇବର ଲୁଟର ଅପରେଟ୍ କରୁଥିଲେ । ସିମବକ୍ସ ଜରିଆରେ ବିଭିନ୍ନ ସେବା ଯୋଗାଇ ଦେବା ଆଳରେ ବିଭିନ୍ନ ମୋବାଇଲ ନମ୍ବରରେ ମେସେଜ୍ ପଠାଉଥିଲେ । କେତେବେଳେ କେୱାଇସି ଅପଡେଟ୍ ତ ଆଉ କେତେବେଳେ ବିଲ୍ ପଇଠ ପାଇଁ ମେସେଜ ଦେଉଥିଲେ ଓ ଠକେଇ କରୁଥିଲେ । ସାଇବର ଲୁଟର ତଦନ୍ତକରୁଥିବା କ୍ରାଇମବ୍ରାଞ୍ଚର ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି,

– ସିମବକ୍ସ ଜରିଆରେ ଠକମାନେ ଜାଲ ମେସେଜ୍ ପଠାଉଥିଲେ
– ଜାଲ ମେସେଜ୍ ପଠାଇ କୋଟି କୋଟି ଟଙ୍କା ଠକେଇ କରୁଥିଲେ ସାଇବର ମାଫିଆ
– ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬ ଶହ ମୋବାଇଲ୍ ନମ୍ବରକୁ ମେସେଜ୍
– ସେମାନଙ୍କଠାରୁ ପ୍ରାୟ ୩ ହଜାର ଜାଲ ସିମ୍ କାର୍ଡ ୫ ଲକ୍ଷ ଟଙ୍କାର ଦୁଇଟି ସିମ୍ ବକ୍ସ, ୭ଟି ଲାପ୍ଟପ୍, ୧୬ଟି ମୋବାଇଲ୍ ଫୋନ୍ ଓ ମୋବାଇଲ ସରଞ୍ଜାମ ଜବତ କରାଯାଇଛି
– ଝାଡଖଣ୍ଡର ଜାମତରା ଗ୍ୟାଙ୍ଗଠାରୁ ଆରମ୍ଭ କରି ଦେଶର ଅନ୍ୟ ସାଇବର ମାଫିଆଙ୍କ ସହ ଏହି ଗ୍ୟାଙ୍ଗର ଲିଙ୍କ୍ ରହିଥିବା ଅନୁମାନ କରାଯାଉଛି

ଆସନ୍ତୁ ଜାଣିବା କଣ ଏହି ସିମ ବକ୍ସ । କେମିତି ଏଥିରୁ ଏକାଥରକେ ଏତେ ମେସେଜ୍ ପଠାଉଥିଲେ ଆଉ ଲୋକଙ୍କୁ ଠକୁଥିଲେ..

ସିମ ବକ୍ସ କଣ?
– ସିମ୍ ବକ୍ସ ଏମିତି ଏକ ଡିଭାଇସ୍ ବା ଯନ୍ତ୍ର ଯେଉଁଥିରେ ଶହ ଶହ ସିମକୁ ଏକାଠି କରାଯାଇଥାଏ
– ଗୋଟିଏ ସିମ୍ ବକ୍ସରେ ଏକାଥରେ ୫୧୨ଟି ସିମ୍ ଖଞ୍ଜା ଯାଇଥାଏ
– ଏକାଥରକେ ହଜାର ହଜାର ମୋବାଇଲ ନମ୍ବରକୁ ପଠାଯାଇପାରେ ମେସେଜ୍
– ଲୋକଙ୍କୁ ଫୋନ୍ କରିବା ସହ ବାର୍ତା ପଠାଯାଇପାରେ
– ଚତୁରତାର ସହ ବ୍ୟକ୍ତିଗତ ତଥ୍ୟ ହାସଲ କରିନିଅନ୍ତି ଠକ

କେୱାଇସି ଅପଡେଟ୍ କରିବା ଆଳରେ ଓଡିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ସନ୍ଦିଗ୍ଧ ମେସେଜ୍ ଆସୁଥିବା ଜାଣିବା ପରେ କେନ୍ଦ୍ରୀୟ ଟେଲିକମ୍ୟୁନିକେସନ ମନ୍ତ୍ରାଳୟ ଏହାର ତଦନ୍ତ କରିବା ପାଇଁ ଓଡିଶା କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା । ଆଉ ତଦନ୍ତ କରିବାବେଳେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ବେତନଟୀର ବିଶାଲ ଖଣ୍ଡେଲୱାଲଙ୍କ ପାଖରେ ପହଁଚିଥିଲା କ୍ରାଇମବ୍ରାଞ୍ଚ ।

ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧରୁ କଳାଚିଠା ଖୋଲିଥିଲା । ତାର ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଶାଳ ଖଣ୍ଡେଲୱାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଂଶୁ ଦାସ, ଅଜୁ ପାତ୍ର ଓ ଅଜୟ ପାତ୍ର । ସବୁଠାରୁ ବଡ କଥା ହେଉଛି ବିଶାଲ ସମେତ ଅନ୍ୟମାନଙ୍କର ସାଇବର ସମ୍ପର୍କୀତ ଗଭୀର ଜ୍ଞାନ ଥିଲା । ଯାହାକୁ ବ୍ୟବହାର କରି ଲୋକଙ୍କୁ ଲୁଟୁଥିଲେ ଏହି ଠକ୍ ।