ନକଲି ଔଷଧ କାରବାରର ତନାଘନା : ବିହାର ଓ କର୍ଣ୍ଣାଟକ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ

71

କନକ ବ୍ୟୁରୋ : ନକଲି ଔଷଧ କାରବାରର ତନାଘନା । ଏହି ମାମଲାର ମାଷ୍ଟରମାଇଣ୍ଡ ବିହାର ଗୟାର ବାଲାଜୀ ଡ୍ରଗସ ଓ ବେଙ୍ଗାଲୁରୁ ଶିବାଜୀନଗରର ଶ୍ରୀ ବାଲାଜି ଏଜେନ୍ସିର ବୈଧତା ଯାଞ୍ଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ । ଏହି ଦୁଇଟି ସଂସ୍ଥାର ଡ୍ରଗ୍ସ ଲାଇସେନ୍ସ, ଜିଏସଟି ଇତ୍ୟାଦି ଯାଞ୍ଚ କରି ତଥ୍ୟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି । ସୂଚନା ଅନୁସାରେ ଗଲା ୬ ମାସ ହେଲା ବିହାର ଓ କର୍ଣ୍ଣାଟକରୁ ନକଲି ଟେଲମା-୪୦ ଓ ଟେମା ଏ.ଏସ ଆମଦାନୀ କରି କଟକ ଓ ଭୁବନେଶ୍ୱରକୁ ଔଷଧ ମାଫିଆ ରାହୁଲ ଓ ସଞ୍ଜୟ ଚାଲାଣ କରୁଥିଲେ ।

ପୁରୀଘାଟ ଥାନା ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ସହରର ୫ଜଣ ରିଟେଲରଙ୍କୁ ଠାବ କରିଛି । କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି । ଏହାକୁ ନଜରେ ରଖି ରାହୁଲ ଓ ସଞ୍ଜୟଙ୍କ ମୋବାଇଲର ସିଡିଆର, ସର୍ଭିସ ପ୍ରୋଭାଇଡ଼ର ମାଗିଛି ପୋଲିସ । ରାଜ୍ୟ ବାହାରୁ ଔଷଧ ଆମଦାନୀ ପରଠାରୁ ଏହି ଦୁଇ ଜଣ କେଉଁମାନଙ୍କ ସହିତ ଯୋଗାଯୋଗରେ ଥିଲେ, ସେମାନଙ୍କୁ ଠାବ କରିବାକୁ ପୁଲିସ ସିଡିଆର ମାଗିଛି । ଏହି ସିଡ଼ିଆର ଆସିଲେ ରାଜ୍ୟର କେଉଁମାନେ ନକଲି ଔଷଧ କିଣୁଥିଲେ, ସେନେଇ ଲମ୍ବା ତାଲିକା ପୋଲିସ ହାତରେ ଲାଗିପାରିବ ବୋଲି କୁହାଯାଉଛି ।