ଧାମନଗର ବିଧାୟକଙ୍କ ବିୟୋଗ : ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୋକ ପ୍ରକାଶ

127

କନକ ବ୍ୟୁରୋ : ଆଉ ନାହାନ୍ତି ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ।

ଏହା ପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ଦାୟିତ୍ୱ ନେଇଥିଲେ ବିଷ୍ଣୁ ସେଠୀ । ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ ପରିଚିତ ଥିଲେ । ରାଜନେତା ସହ ସେ ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ବେଶ ପରିଚିତ ଥିଲେ ।

ଧାମନଗର ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କର କାର୍ଯ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଷ୍ଣୁ ସେଠୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭବେ ବର୍ଣ୍ଣନା କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ ।

ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା । ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ । ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ।