ବଟି ମାଗିବା ଅଭିଯୋଗରେ ବଦଳିଲେ କଟକ କ୍ୟାଣ୍ଟନମେଂଟ ଆଇଆଇସି: ବାଲିଯାତ୍ରା ବେଳେ ଷ୍ଟାଣ୍ଡ ମାଲିକଙ୍କୁ ଟଙ୍କା ମାଗିବା ଭିଡିଓ ହୋଇଥିଲା ଭାଇରାଲ

319

କନକ ବ୍ୟୁରୋ: କଟକ କ୍ୟାଂଟନମେଂଟ ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବଦଳି ହୋଇଛି । କଟକ ବାଲିଯାତ୍ରାରେ ଗାଡିଷ୍ଟାଣ୍ଡ ମାଲିକଙ୍କଠାରୁ କ୍ୟାଂଟନମେଂଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ୫୦ ହଜାର ଟଙ୍କା ବଟି ମାଗିବା ଅଭିଯୋଗ ହୋଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଦୀନକୃଷ୍ଣଙ୍କୁ ପୁଲିସ ହେଡ କ୍ୱାର୍ଟରକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଦରଘାବଜାର ଥାନା ଅଧିକାରୀ ପ୍ରଦୀପ ଜେନା ଦାୟିତ୍ୱରେ ରହିବେ । ଖବର ଅନୁସାରେ, ବାଲି ଯାତ୍ରା ଚାଲିଥିବାବେଳେ ଦୀନକୃଷ୍ଣ ମିଶ୍ର ସଂପୃକ୍ତ ଗାଡିଷ୍ଟାଣ୍ଡ ମାଲିକଙ୍କଠାରୁ ୫୦ ହଜାର ଟଙ୍କା ବଟି ମାଗିଥିଲେ । ସଂପୃକ୍ତ ଗାଡିଷ୍ଟାଣ୍ଡ ମାଲିକ ଅଗ୍ରୀମ ୨୦ ହଜାର ଟଙ୍କା ଦେଇଥିଲା । ଆଉ ଟଙ୍କା ଦେଇନପାରିବାରୁ ଥାନାକୁ ଡାକି ଗାଳିଗୁଲଜ କରିବା ସହ ବାକି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ବିଜେପି ଏ ନେଇ ଏକ ଭିଡିଓ ଦେଖାଇ ପୁଲିସ ନିକଟରେ ଅଭିଯୋଗ କରଥିଲା । ଏହି ଭିଡିଓ ଗତ ୧୨ ତାରିଖର ବୋଲି ଜଣାପଡିଛି । ବାଲିଯାତ୍ରା ୮ରୁ ୧୭ ତାରିଖ ଯାଏଁ ଚାଲିଥିଲା ।