ନିର୍ବାଚନ ପ୍ରଚାରରେ ଉଠୁଛି ପଡୁଛି ଗୁଜରାଟ: ରାଜ୍ୟର କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କ୍ୟାମ୍ପେନ ଟକ୍କର

75

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ସୋମବାର ଗୁଜରାଟରେ ପହଁଚିଛନ୍ତି ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ । ଗୁଜରାଟର ୩ଟି ସ୍ଥାନରେ ପହଁଚି ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଭାରତ ଯୋଡ ଯାତ୍ରାରୁ କିଛି ସମୟର ବିରତି ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ସୁରେନ୍ଦ୍ର ନଗରରେ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ୩ବର୍ଷ ପୁରୁଣା କଂଗ୍ରେସର ବୟାନକୁ ଉଠାଇ ତେରଛା ବାଣ ମାରିଛନ୍ତି । ମୋଦି କହିଛନ୍ତି ବିରୋଧୀ ତାଙ୍କୁ ଔକାତ ଦେଖାଇବା କଥା କହୁଛନ୍ତି । କିନ୍ତୁ ମୋଦି କହିଛନ୍ତି ସେ ହେଉଛନ୍ତି ଦେଶର ସେବକ ଓ ତାଙ୍କର କୌଣସି ଔକାତ ନାହିଁ ।

ଅହଂକାରୀ ଦଳ ଗୁଡିକ ତାଙ୍କୁ କେବେ ମୃତ୍ୟୁର ସୌଦାଗର କୁହନ୍ତି ତ ପୁଣି କେତେବେଳେ ଅସନା ନାଳିର ପୋକ ବୋଲି ସମ୍ବୋଧିତ କରନ୍ତି । ତେବେ ସବୁ ଭିତରେ ୧୩୦କୋଟି ଜନତାଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ରହିଥିବା ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ କହିଛନ୍ତି କି ରାଜ୍ୟବାସୀଙ୍କ ଦ୍ୱାରା ହିଁ ରାଜ୍ୟର ବିକାଶ ସମ୍ଭବ । ଦେଶର ଉଜ୍ଜଳ ଭବିଷ୍ୟତ ଦେଶବାସୀଙ୍କ ବିକାଶ ସହ ଜଡିତ । ସେପଟେ ପ୍ରଥମ ଥର ପାଇଁ ପ୍ରଚାରମଇଦାନକୁ ଓହ୍ଲାଇଥିବା ରାହୁଲ ଆଦିବାସୀ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କ ଜମି ଛଡାଇନେଇ ମୋଦି ସରକାର ତାଙ୍କର ବିତଶାଳୀ ଶିଳ୍ପପତିଙ୍କୁ ଦେଉଥିବା ରାହୁଲ କହିଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ ଓ ୭ ତାରିଖରେ ଉଭୟ ହିମାଚଳ ଏବଂ ଗୁଜରାଟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।