ସାରା ବିଶ୍ୱରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍କଟ: କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ପଡିଛି ବଡ଼ ପ୍ରଭାବ

133

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁ ଭୁସୁଡି ପଡିଛି ସାରା ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା । ରୋଗୀଙ୍କ ଚିକିତ୍ସାରେ ମୁଖ୍ୟ ଭୂମିକା ନିଭାଉଥିବା ନର୍ସ, ଆସିଷ୍ଟାଂଟ୍ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍କଟ ଦେଖାଦେଇଛି । ମହାମାରୀ ସମୟରେ ଅତ୍ୟଧିକ କାମ ଏବଂ କମ ଦରମା ପାଇଁ ଅନେକ ସ୍ୱାସ୍ଥ୍ୟକର୍ମୀ ଚାକିରି ଛାଡିଦେଇଛନ୍ତି । ଜର୍ମାନୀ, ଇଟାଲୀ, ଜାପାନ, ଇସ୍ରାଇଲ, ସ୍ପେନ, ସୁଇଜରଲ୍ୟାଣ୍ଡ, ସିଙ୍ଗାପୁର ଭଳି ୩୦ରୁ ଅଧିକ ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦେଖିବାକୁ ମିଳିଛି । ଏହି ଦେଶଗୁଡିକ ଏବେ ଭାରତ ଏବଂ ଫିଲିପାଇନ୍ସର ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସେଠାରେ କାର୍ଯ୍ୟ କରିବା ପାଇଁ ଭିସା ସହ ଭଲ ଦରମାର ଅଫର ଦେଉଛନ୍ତି । ଇଂଟରନ୍ୟାସନାଲ କାଉନସିଲ ଅଫ୍ ନର୍ସେସର ଆକଳନ ଅନୁଯାୟୀ ନିକଟ ଭବିଷ୍ୟତରେ ୧ କୋଟି ୩୦ ଲକ୍ଷ ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ରହିଛି ।

ସରକାରୀ ହସ୍ପିଟାଲରେ କାମ କରିବାକୁ ଚାହୁଁନାହାନ୍ତି ଡାକ୍ତର
ଓଡ଼ିଶାରେ ସ୍ୱେଚ୍ଛାକୃତ ଅବସର ପାଇଁ ବଢ଼ୁଛି ଆବେଦନ

ଡାକ୍ତରଙ୍କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ସରକାରୀ ଚାକିରି କରିବା ପାଇଁ ଆଗ୍ରହ ଦେଖାଉନାହନ୍ତି ଡାକ୍ତର । କୁହାଯାଉଛି –
କମ୍ ଦରମା ଏବଂ ଭିତ୍ତିଭୂମିର ଅଭାବ ଯୋଗୁ ସରକାରୀ ହସ୍ପିଟାଲରେ କାମ କରିବାକୁ ପସନ୍ଦ କରୁନାହାନ୍ତି ଡାକ୍ତର
ଅବସର ସମୟ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ପାଇଁ ବଢ଼ୁଛି ଆବେଦନ
ଗତ ସେପ୍ଟେମ୍ବରରେ ଓଡ଼ିଶାର ୫ ଜଣ ଡାକ୍ତର ସ୍ୱେଚ୍ଛାକୃତ ଅବସର ନେଇଛନ୍ତି
ଚଳିତ ମାସରେ ଆଉ ୪ ଜଣ ଡାକ୍ତର ସେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି

ଗତ ଦୁଇ ବର୍ଷରେ ରାଜ୍ୟର ୫୦ରୁ ଅଧିକ ଡାକ୍ତର ସେଚ୍ଛାକୃତ ଅବସର ନେଇଥିବା ସୂଚନା ରହିଛି । କରୋନା ମହାମାରୀ ସମୟରେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ସ୍ୱାସ୍ଥ୍ୟ ଭିତିଭୂମି । ଏପରି ସ୍ଥଳେ ଯଦି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ପୂରଣ ନକରାଯାଏ ଭବିଷ୍ୟତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୋହଲିଯିବାର ଆଶଙ୍କା ରହିଛି । ସରକାରୀ ଚାକିରି ପ୍ରତି ଡାକ୍ତରମାନେ ବିମୁଖ ହେବା ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି ।