ନିମାପଡାରେ ପାୱାର ଶୋ: ମହିଳାଙ୍କୁ ଏକାଠି କରି ବିଜେଡିର ଶକ୍ତି ପ୍ରଦର୍ଶନ, ତେଜିଲା ବିଜେପିର ବିରୋଧ

122

କନକ ବ୍ୟୁରୋ: ଗୋଟିଏ ପଟେ ମନ୍ତ୍ରୀଙ୍କ କୁଶପତଳିକା ଦାହ କରାଯାଉଥିବାବେଳେ ଅନ୍ୟପଟେ ବିଜେଡିର ଶକ୍ତି ପ୍ରଦର୍ଶନ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରରେ ଥିବା ମନ୍ତ୍ରୀ ସମୀରଦାଶଙ୍କ ଗଡ ନିମାପଡାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ନିମାପଡାରେ ଏକାଠି ହୋଇଛନ୍ତି ବିଜେଡି ନେତା । ସମୀର ଦାଶଙ୍କ ସପକ୍ଷରେ ବାହାରିଛନ୍ତି ଦଳର ବଡ ନେତା । ପ୍ରାୟ୨୦ ହଜାରରୁ ଅଧିକ ମହିଳାଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଜନସମ୍ପର୍କ ପଦଯାତ୍ରା ସହ ନିମାପଡା ବାରବାଟୀ ପଡିଆରେ ସମାବେଶ କରିଛି ଦଳ । ଆଉ ଏଥିରେ ସାମିଲ ହୋଇ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଓ ମହେଶ୍ୱର ମହାନ୍ତି ପ୍ରମୁଖ ନେତା ବିଜେପି ଉପରେ ବର୍ଷିଛନ୍ତି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଅଡିଓ ଟେପ୍ ଜାରି କରି ମନ୍ତ୍ରୀ ସମୀର ଦାଶଙ୍କୁ ବିବାଦଘେରକୁ ଟାଣିଛି ବିଜେପି । ମନ୍ତ୍ରୀ ଏ ନେଇ କିଛି ମୁହଁ ଖୋଲୁନଥିବାବେଳେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି । ଏଭଳି ସମୟରେ ନିମାପଡାରେ ପାୱାର ଶୋ ସ୍ପଷ୍ଟ ସଙ୍କେତ ଦେଉଛି, ସମୀରଙ୍କ ସପକ୍ଷରେ ଅଛି ବିଜେଡି ।

ବିଜେଡିକୁ କାଉଣ୍ଟର କରିବାକୁ ଚାରିଛକ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଛି ବିଜେପି । ନିମାପଡାର ଚାରିଛକ ସମେତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛନ୍ତି । ମନ୍ତ୍ରୀଙ୍କ କୁଶପୁତଳିକା ବି ଦାହ କରାଯାଇଛି । ବିଜେଡିର ପାୱାର ଶୋ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, ମନ୍ତ୍ରୀ ସମୀର ଦାଶଙ୍କୁ ଘଂଟ ଘୋଡାଇବା ପାଇଁ ମହିଳାଙ୍କ ସାହାରା ନିଆଯାଉଛି । ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା କହିଛନ୍ତି, କଣ ପାଇଁ ଏପରି ଶକ୍ତି ପ୍ରଦର୍ଶନ । ମୃତ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ ପୁଲିସକୁ ଦିଆଯାଇଛି । ଯେଉଁ ଅଡିଓ କ୍ଲିପରେ ମନ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ତେଣୁ ଏପରି ସମୟରେ ଶକ୍ତି ପ୍ରଦର୍ଶନକୁ ବିଜେପି ନାପସନ୍ଦ କରିଛି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିମାପଡା ରାଜନୀତି ସରଗରମ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ରାଜନୀତି ଆଗକୁ ଥମିବ ନାହିଁ ବରଂ ଜୋରଦାର ହେବ ।