୪ ଦିନରେ ୪ ଲକ୍ଷ ୫୪ ହଜାର କରୋନା ଟିକା ନେଲେଣି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା : ପାର୍ଶ୍ୱ ପ୍ରତିକ୍ରିୟା ହାର ଶୂନ ଦଶମିକ ୧୮ ପ୍ରତିଶତ

102

କନକ ବ୍ୟୁରୋ : ସାରାଦେଶରେ କେମିତି ଚାଲିଛି କରୋନା ଟିକାକରଣ, ତାର ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣରେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୪ ହଜାର ୪୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆସରିଲାଣି । ଓଡିଶା ସମେତ ସିକିମ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଲାକ୍ଷାଦ୍ୱୀପରେ ଟିକାକରଣ ହାର ଅଧିକ ରହିଛି । ଆମ ରାଜ୍ୟରେ ଗତ ୩ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୨.୬ ପ୍ରତିଶତ ଟିକାକରଣ ହୋଇଛି । ଯାହା ଉତ୍ସାହଜନକ ।

ସବୁଠାରୁ ବଡକଥା ହେଲା, ମୋଟ୍ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୦.୧୮ ପ୍ରତିଶତଙ୍କଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ସେହିପରି ମାତ୍ର ୦.୦୦୨ ପ୍ରତିଶତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି । ତେଣୁ ଭାରତ ସରକାର ଅନୁମୋଦନ କରିଥିବା ଦୁଇଟିଯାକ ଟିକା ସୁରକ୍ଷିତ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପଲ । ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବାରୁ ମନରୁ ଭୟ ଦୂର କରି, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା ଟିକାକରଣ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।