କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ 

୧୦ ତାରିଖରେ ରାୟ ପ୍ରକାଶ କରି ସରକାରଙ୍କ ଉପରେ ଛାଡିଥିଲେ ହାଇକୋର୍ଟ

838

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ହାଇକୋର୍ଟଙ୍କ ରାୟ ପରେ ଶେଷରେ ବାଟ ବାହାର କରିଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ ।

ହାଇକୋର୍ଟଙ୍କ ରାୟ ଆସିବା ପରେ ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ୭ ତାରିଖରେ ଏ ସଂପର୍କିତ ମାମଲାର ଶୁଣାଣି କରି ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ ହାଇକୋର୍ଟ । ଏଥିରେ ରାଜ୍ୟ ସରକାର ହିଁ ସ୍କୁଲ ଫି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ୭ଟି ସ୍ଲାବରେ ସ୍କୁଲ ଫି ଛାଡ କରିବାକୁ କୁହାଯାଇଛି ।

ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ଦେଉଥିଲେ ୭.୫ ପ୍ରତିଶତ ଟିଉସନ ଫି ଛାଡହେବ । ସେହିପରି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ ପ୍ରତିଶତ, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ । ୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ୨୬ ପ୍ରତିଶତ ଛାଡ ହେବ ।