ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ

253

କନକ ବ୍ୟୁରୋ : ଆଜିଠାରୁ ପଡୋଶୀ ଦେଶକୁ କରୋନା ଟିକା ଯୋଗାଇଦେବ ଭାରତ । ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ । ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଆଜିଠାରୁ ୬ଟି ଦେଶକୁ ଟିକା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଡୋଶୀ ବନ୍ଧୁ ରାଷ୍ଟ୍ରଗୁଡିକର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିପାରୁଥିବାରୁ ଭାରତ ନିଜକୁ ଧନ୍ୟମନେ କରୁଛି । ଟିକା ଯୋଗାଣ ପାଇଁ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମୋରିସସ ମଧ୍ୟ ଭାରତକୁ ଅନୁରୋଧ କରିଛନ୍ତି । ସେଠାରେ ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଲେ, ସେସବୁ ଦେଶକୁ ମଧ୍ୟ ଟିକା ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ ।