ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା : ଏନଟିଏଜିଆଇ ମୁଖ୍ୟ କହିଲେ, ଏବେ ପ୍ରାଥମିକତା ଭିତିରେ ୧୫ରୁ ୧୮ ବର୍ଷଙ୍କୁ ଦିଆଯାଉଛି ଭ୍ୟାକସିନ୍

ଏବେ ସୁଧା ୪୫ ପ୍ରତିଶତ ନେଇ ସାରିଲେଣି ଟିକା

114

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ନେସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ଏନ୍.କେ ଅରୋରା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯାଇପାରେ । ଏବେ ୧୫ରୁ ୧୮ ବର୍ଷଙ୍କୁ ପ୍ରାଥମିକତା ଭିତିରେ ଟିକା ଦିଆଯାଉଛି । ୩ କୋଟି ୩୧ ଲକ୍ଷରୁ ଅଧିକ ପିଲା ବର୍ତମାନ ସୁଦ୍ଧା କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି ।

ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୩ ଦିନରେ ୪୫ ପ୍ରତିଶତଙ୍କୁ ଟିକା ଦିଆସରିଛି । ଜାନୁଆରୀ ଶେଷ ସୁଦ୍ଧା ୭ କୋଟି ୪୦ ଲକ୍ଷଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଫେବ୍ରୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଟିକାକରଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଡକ୍ଟର ଅରୋରା । ୧୫ରୁ ୧୮ ବର୍ଷଙ୍କୁ ଟିକାକରଣ ପରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷକୁ ଟିକାକରଣ କରାଯିବ ।