ଆଜି ୮ ଜିଲ୍ଲାରେ ଘନକୁହୁଡ଼ି : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

103

କନକ ବ୍ୟୁରୋ : ଆଜିଠାରୁ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ । ଏହା ବାୟୁମଣ୍ଡଳର ସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେବ । ବାୟୁମଣ୍ଡଳର ସ୍ଥିରତା ଓ ଅଧିକ ଜଳୀୟବାଷ୍ପର ଉପସ୍ଥିତି ତଥା ନିର୍ମଳ ଆକାଶ‌ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ । ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲା‌ରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ୮ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି ।

ସେହିପରି ୧୮ ଓ ୧୯ତାରିଖ ସକାଳୁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୧୮ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଏବଂ ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ । ଏଣୁ ଏହି ଦୁଇ ଦିନ ପାଇଁ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ରାଜ୍ୟର ପାରଦ ସ୍ତର ଧୀରେ ଧୀ‌ରେ ନିମ୍ନଗାମୀ ହେବାରେ ଲାଗିଥିବା ବେଳେ ଆସନ୍ତା ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଫଳରେ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି । ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୨୩ ମିମି ରେକର୍ଡ ହୋଇଛି। ସର୍ବନିମ୍ନ ରାତି ତାପମାତ୍ରା କେନ୍ଦୁଝରଠାରେ ୧୨.୮ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହେଇଛି । ଏଥିସହ ମାଲକାନଗିରି ଓ ଭବାନୀପାଟଣାଠାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ରାତି ତାପମାତ୍ରା ଉପକୂଳ ଜିଲ୍ଲାଗୁଡ଼ିକରେ ପାଖାପାଖି ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୩ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି । ଓଡ଼ିଶା ଉପରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ। ଏଣୁ ଆସନ୍ତା ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ଓ ଶୀତ ବଢ଼ିବ ।