ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ : ୧୭ ବର୍ଷ ବୟସରୁ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଦେଇଥିଲେ ଯୋଗ

ରାୟଗଡ଼ାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀଙ୍କୁ ଦେଖାଇଥିଲେ ଆଲୋକର ବାର୍ତ୍ତା

138

କନକ ବ୍ୟୁରୋ : ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ପରୋପକାରୀ ମଣିଷ ଥିଲେ ।

ନିଜର ନିଷ୍ଠାପର ସାଧନା, ଜନସେବା , ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳରେ ଦୀର୍ଘବର୍ଷ ଧରି କାମ କରିଥିଲେ । ୧୭ ବର୍ଷ ବୟସରୁ ଶାନ୍ତିଦେବୀ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ରାୟଗଡାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଆଲୋକର ବାର୍ତା ଦେଖାଇଥିଲେ । ଗତବର୍ଷ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ ।

୧୯୩୪ ଏପ୍ରିଲ୍‌ ୧୮ରେ ବାଲେଶ୍ୱର ଜିଲ୍ଲାରେ ଶାନ୍ତି ଦେବୀ ଜନ୍ମ ଗ୍ରହଣ କରିଥିଲେ। ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଓ ୧୯୫୧ ମସିହାରେ ଡ. ରତନ ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ସ୍ବାମୀଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲି ଯାଇଥିଲେ। ୨ ବର୍ଷ ପରେ ୧୯୫୩ ମସିହାରେ ସେ ରାୟଗଡ଼ା ଜିଲ୍ଲା ଶଂଖଲାପଦର ଗାଁକୁ ଚାଲି ଯାଇଥିଲେ। ଉକ୍ତ ଛୋଟ ଗାଁଟିରେ ରହୁଥିବା କିଛି ଲୋକ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ ।

ଏହା ଭିତରେ ସେ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରଭାବିତ ହୋଇଥିଲେ ଓ ୧୯୫୬ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ବିନୋବାଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେହି ସମୟରେ ସେ ସେଠାରେ ୮ ଜଣ ଆଦିବାସୀ ଝିଅଙ୍କୁ ନେଇ ଏକ ସେବା ସମାଜ ଗଠନ କରିଥିଲେ। ୩ ବର୍ଷ ପରେ ଗୁଣୁପୁରରେ ଆଦିବାସୀ ବାଳିକା ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ପରେ ସେ ଅନାଥାଶ୍ରମ, ତାଲିମ ଶିବିର ଭଳି ଅନେକ ସଂସ୍ଥା ସ୍ଥାପନ କରିଥିଲେ। ଏଭଳି ସମାଜସେବା ପାଇଁ ତାଙ୍କୁ ୧୯୯୪ ମସିହାରେ ଜମନ୍‌ଲାଲ୍‌ ବଜାଜ୍ ପୁରସ୍କାର ମିଳିଥିଲା।