ଜନ୍ମ ହେଲା ଦିବ୍ୟାଙ୍ଗ ଶିଶୁ, ଡାକ୍ତର ଗଣିବେ ତଣ୍ଡ: ଭୁଲ ରିପୋର୍ଟ ପାଇଁ ଜରିମାନା କଲେ ଖାଉଟି ଅଦାଲତ

463

କନକ ବ୍ୟୁରୋ: ଭୁଲ ରିପୋର୍ଟ ଦେଇଥିବାରୁ ଡାକ୍ତର ଗଣିବେ ଜରିମାନା । ଭିନ୍ନକ୍ଷମ ଶିଶୁକୁ ଅଲଟ୍ରାସାଉଣ୍ଡ ସମୟରେ ସ୍ୱାଭାବିକ ଶିଶୁ ଦର୍ଶାଇ ରିପୋର୍ଟ ଦେଇଥିଲେ ଡାକ୍ତର । କିନ୍ତୁ ଦିବ୍ୟାଙ୍ଗ ଶିଶୁ ଜନ୍ମ ହେବାରୁ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରି ଜଗତସିଂହପୁର ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ପିଲାଟିର ବାପାମା । କୋର୍ଟ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ୧୦ଲକ୍ଷ ୫୪ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଭୁଲ ରିପୋର୍ଟ ପାଇଁ ରୋଗୀର ମୃତ୍ୟୁ ହେବା କିମ୍ବା ଗୁରୁତ୍ୱର ହୋଇପଡିବା ନେଇ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆସିଥିବା ଆପଣମାନେ ଶୁଣିଥିବେ । ହେଲେ ଭୁଲ ରିପୋର୍ଟ ଯୋଗୁଁ ମାଆ ପେଟରେ ଥିବା ପିଲାଟି ଦିବ୍ୟାଙ୍ଗ ହୋଇ ଜନ୍ମ ନେବା ଓ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯିବା ଆପଣମାନେ ବୋଧହୁଏ ଶୁଣିନଥିବେ । କିନ୍ତୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଜଇପୁରରୁ ଆସିଛି ଏମିତି ଏକ ଖବର । ଶିଶୁର ବାପା ମା ବାପାଙ୍କ ଅଭିଯୋଗ ଅନୁସାରେ ପିଲାଟି ଗର୍ଭରେ ରହିିବା ଦିନରୁ ପର୍ଯ୍ୟାୟକ୍ରମେ ତିନିଥର ଅଲଟ୍ରାସାଉଣ୍ଡ କରିଥିଲେ ଡାକ୍ତର ପ୍ରତାପ କେଶରୀ ଦାସ । ଆଉ ସବୁଥର ପିଲାଟି ସ୍ୱାଭାବିକ ଥିବା ରିପୋର୍ଟ ଦେଇଥିଲେ ଡାକ୍ତର । କିନ୍ତୁ ଜନ୍ମ ହୋଇଥିଲା ଦିବ୍ୟାଙ୍ଗ ଶିଶୁ । ପିଲାଟି ଜନ୍ମ ହେବା ପରେ ଗୋଟିଏ ଗୋଡ ଓ ଗୋଟିଏ ହାତ ନଥିବା ଦେଖି ଚମକି ପଡିଥିଲେ ପୂରା ପରିବାର ।

ଦିବ୍ୟାଙ୍ଗ ପିଲା ଜନ୍ମ ହେବା ପରେ ମାନସିକ ଦୁଶ୍ଚିନ୍ତାରେ ଥିବା ବାପାମା ଏନେଇ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଡାକ୍ତରଙ୍କ ଭୁଲ ରିପୋର୍ଟ ଯୋଗୁଁ କେମିତି ଦିବ୍ୟାଙ୍ଗ ଶିଶୁ ଜନ୍ମ ହେଲା ସେନେଇ ଅଭିଯୋଗ କରିଥିଲେ । ଅଭିଯୋଗର ଶୁଣାଣି କରି ଖାଉଟି ଅଦାଲତ ଡାକ୍ତରଙ୍କୁ ପିଲାର ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିୟମ ଅନୁସାରେ ମା ପେଟରେ ଥିବା ପିଲାଟି ଭିନ୍ନକ୍ଷମ ହୋଇଥିଲେ ଗର୍ଭପାତ କରାଯାଇପାରେ । ଅର୍ଥାତ ଡାକ୍ତର ଯଦି ଠିକ୍ ରିପୋର୍ଟ ଦେଇଥାନ୍ତେ ହୁଏତ ଏଭଳି ସ୍ଥିତି ଉପୁଜିନଥାନ୍ତା । ପିଲାଟିର ବାପାମା ପୂର୍ବରୁ ଠିକ୍ ନିଷ୍ପତି ନେଇପାରିଥାନ୍ତେ । ତେବେ ଆଗକୁ ଡାକ୍ତର ଜରିମାନା ଦେଉଛନ୍ତି କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର ।