ରାଜଧାନୀରେ ଚାଲିଛି ଭିକାରୀ ଗ୍ୟାଙ୍ଗ ରାକେଟ: ରାକେଟରେ ଅଛନ୍ତି ମହିଳା ଓ କୋମଳ ଶିଶୁ

474

କନକ ବ୍ୟୁରୋ: ଭୁବନେଶ୍ୱରର ରାଜରାସ୍ତାରେ ଯାଉଥିବାବେଳେ ଏମିତି ଦୃଶ୍ୟ ଆପଣଙ୍କ ଆଖି ସାମ୍ନାକୁ ତ ନିଶ୍ଚୟ ଆସିଥିବ । କେତେବେଳେ ଏମାନେ ହାତ ପତାନ୍ତି ତ ପୁଣି କେତେବେଳେ କିଛି ଜିନିଷ ବିକ୍ରି କରନ୍ତି ।

ପ୍ରଥମ ଦୃଶ୍ୟ
ଜଣେ ମହିଳା ଗୋଟିଏ ଛୁଆଟିକୁ ନିଜ ଶାଢୀରେ ଏମିତି ଗୁଡାଇ ରଖିଛନ୍ତି । ହାତରେ ସେ କିଛି କଲମ ଧରିଛନ୍ତି ସତ କିନ୍ତୁ ଲୋକଙ୍କୁô ମାଗୁଛନ୍ତି ଭିକ । ରାସ୍ତାର ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ଏମିତି ଯାଉଛନ୍ତି ମହିଳା ।

ଦ୍ୱିତୀୟ ଦୃଶ୍ୟ
ହାତରେ କଲମ ଧରିବା ବୟସରେ କୁନି ଛୁଆଟି ଧରିଛି ଗାଡି ପୋଛା କପଡା । ଟ୍ରାଫିକରେ ଗାଡି ଅଟକିଲେ ଧାଇଂଯାଉଛି ଗାଡି ପାଖକୁ । କେହି କିଛି କହିବା ପୂର୍ବରୁ କାଚ ପୋଛୁଛି । ଆଉ ମାଗୁଛି ଟଙ୍କା ।

ଏହି ଘଟଣାକୁ ଅନେକ ହୁଏତ ଅତି ହାଲୁକା ଭାବେ ନେଉଥିବେ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ , ଭିକ୍ଷାବୃତି ପଛରେ କାମ କରୁଛି ବଡ ରାକେଟ । ଟ୍ରାଫିକ ଛକରେ ଭିକ ମାଗୁଥିବା ଏହି ମହିଳାମାନେ ରାକେଟର ଗୋଟିଏ ଗୋଟିଏ ଅଂଶ । କିନ୍ତୁ ଏହାପଛରେ ବଡ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରିଛି ପୋଲିସ । ଭୁବନେଶ୍ୱର ସହୀଦ ନଗରରେ ଭିକ୍ଷାବୃତି କରୁଥିବା ମହିଳାଙ୍କଠାରୁ ନିଜ କମିଶନ ନେଉଥିବା ଜଣେ ବ୍ୟକ୍ତିକୁ ପୋଲିସ କାବୁ ବି କରିଛି । ଏହାସହ ଭିକ ମାଗୁଥିବା ମହିଳାଙ୍କୁ ଥାନା ଆଣି ଜାରି ରଖିଛି ପଚରା ଉଚରା ।

ଟ୍ରାଫିକ ଛକ ତଥା ରାଜଧାନୀର ବିଭିନ୍ନ ଜାଗାରେ ଭିକ ମାଗୁଥିବା ଏହି ଲୋକମାନେ ରାଜସ୍ଥାନରୁ ଓଡିଶା ଆସିଛନ୍ତି । ମହିଳାଙ୍କ କୋଳରେ ଥିବା ଏହି ଶିଶୁମାନେ କାହାର ସେନେଇ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ । ଛୋଟ ପିଲାଙ୍କୁ ଅପହରଣ କରି ଏଭଳି କାମରେ ନିୟୋଜିତ କରାଯାଇଥାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ପିଲାମାନଙ୍କୁ ନିଶା ଦେଇ ନିସ୍ତେଜ କରିବା ପରେ ମହିଳାମାନେ ଏମିତି ପିଲାଙ୍କୁ ଧରି ଭିକ ମାଗୁଥିବା ସମାଜସେବୀ କହିଛନ୍ତି ।

ଶିଶୁ ଶ୍ରମିକ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ବି ଖୋଦ ରାଜଧାନୀର ଛାତି ଉପରେ ଏଭଳି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।