କଳାଧନର କୁବେର ପାଲଟୁଛନ୍ତି ସରକାରୀ କର୍ମଚାରୀ । କେଉଁଠି ନିଯୁକ୍ତିରେ ଦୁର୍ନୀତି ତ ପୁଣି କେଉଁଠି ଲାଂଚ ନେଇ ବିକାଶ କାମ ହେଉଛି ବାଟବଣା

127

କନକ ବ୍ୟୁରୋ: ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଲାଂଚ ଦାବି କଲେ ସାଧାରଣ ଲୋକ ଚିଡ଼ିବା ସ୍ୱାଭାବିକ୍ । କାରଣ ଲୋକଙ୍କ ସେବା ପାଇଁ ସେମାନେ ସରକାରଙ୍କଠାରୁ ଦରମା ନେଇଥାଆନ୍ତି । ତେଣୁ ଦରମା ବାଦ୍ ଲୋକଙ୍କ କାମ ପାଇଁ ଲାଂଚ ଦାବି କଲେ ଲୋକ ପ୍ରତିକ୍ରିୟାଶୀଳ ହେବା ନିଶ୍ଚିତ । ଆଉ ଲୋକଙ୍କ ଅସହାୟତାର ସୁଯୋଗ ନେଇ ବର୍ଷ ବର୍ଷ ଧରି ଲୋକଙ୍କୁ ଲୁଟୁଥିବା ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ପଡ଼ିଛି ଭିଜିଲାନ୍ସର ନଜର ।

ବଲାଙ୍ଗୀର ପରେ ନୂଆପଡ଼ାରେ ପୁଣି ଜଣେ ସରକାରୀ ଚାକିରିଆଙ୍କ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ନୂଆପଡ଼ା ଜିଲ୍ଲାର ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ଚଢଉ ସମୟରେ ତାଙ୍କ ସରକାରୀ ଗାଡ଼ିରୁ ୨ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ନୂଆପଡ଼ା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ଼ କରିଛି । ଚଢଉ ସମୟରେ ପୁଣି ୫୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ମୋଟ ୨ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି ।

ଶନିବାର ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କନିଷ୍ଠ କିରାଣୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । କ୍ୟାସିୟର ରବୀନ୍ଦ୍ର କୁମାର ମହାନ୍ତିଙ୍କ ସାଗରପଡା ଘର, ତୁଷୁରା ଓ ଡୁଙ୍ଗୁରୀପାଲି ଗାଁରେ ଥିବା ଘର ସମେତ ୫ଟି ସ୍ଥାନରେ ଏକକାଳିନ ଚଢାଉ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସର ୩ଜଣ ଡିଏସପିଙ୍କୁ ନେଇ ୫ଟି ଟିମ ମିଳିତ ଭାବେ ଏହି ଚଢାଉ କରିଥିଲା ।

ଚଢାଉ ବେଳେ ନଗଦ ୮ଲକ୍ଷ ୬ହଜାର ୭ଶହ ଟଙ୍କା ଜବତ ହୋଇଛି । ପୁଇଁତଳା ବ୍ଲକ କନିଷ୍ଠ କିରାଣୀ ରବିନ୍ଦ୍ର କୁମାରଙ୍କ ଦୁଇଟି ୩ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି । ସେହିପରି ଦୁଇଟି ବାଇକ ଓ ଦୁଇଟି ଚାରିଚକିଆ ଯାନ ଜବତ କରାଯାଇଛି । ଏହାସହ ରବୀନ୍ଦ୍ର କୁମାର ମହାନ୍ତିଙ୍କ ବିଭିନ୍ନ ସ୍ଥାନରେ ୯ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏବେ ଏହି ଦୁଇଟି ମାମଲାର ତଦନ୍ତ କରୁଛି ଭିଜିଲାନ୍ସ ।