ସୁନା ପୁଅ ପାଇଁ ଟଙ୍କା ବର୍ଷା । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ନୀରଜ ଚୋପ୍ରାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଭେଟି

263

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଆଥଲେଟ୍ ବା ଦୌଡକୁଦରେ ସ୍ୱର୍ଣ୍ଣପଦକ ଜିତିଥିବା ନୀରଜ ଚୋପ୍ରା, ସାରା ଦେଶ ପାଇଁ ଯେଉଁ ଗର୍ବ ଆଣିଦେଇଛନ୍ତି , ସେଥିପାଇଁ ଖୁସିରେ ତାଙ୍କ ଉପରେ ଧନବର୍ଷା ହୋଇଛି । କାରଣ ଏହି ଗୌରବ ସବୁ ଖୁସିକୁ ବଳିଯାଇଛି ।

ହରିୟାଣା ସରକାର ନୀରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି । ଏଥିସହ କ୍ଲାସ-୧ ସରକାରୀ ଚାକିରୀ ଓ ୫୦ ପ୍ରତିଶତ ଦରରେ ଜମି ଯୋଗାଇଦେବାକୁ ଘୋଷଣା କରିଛନ୍ତି । ପଂଚକୁଲାରେ ଏକ ବଙ୍ଗଳା ବି ନୀରଜଙ୍କୁ ପୁରସ୍କାର ଆକାରରେ ଦିଆଯିବ । ଏଥିସହ ନୀରଜଙ୍କ ନିଜ ସହର ପାନିପଥରେ ଏଥଲେଟିକ୍ସ ସେଂଟର ଅଫ ଏକ୍ସଲେନ୍ସ ନିର୍ମାଣ କରାଯିବ, ଯାହାର ମୁଖ୍ୟ ରହିବେ ନୀରଜ ଚୋପ୍ରା । ଦୌଡକୁଦରେ ସ୍ୱର୍ଣ୍ଣପଦକ ପାଇବା ସ୍ୱପ୍ନକୁ ପୁରା କରିବାରେ ପି.ଟି ଉଷା ଓ ମିଲଖା ସିଂ ମଧ୍ୟ ଅଳ୍ପକେ ବର୍ତିଯାଇଥିଲେ । ସେଥିପାଇଁ ନୀରଜ ଚୋପ୍ରାଙ୍କୁ ପଞ୍ଜାବ ସରକାର ୨ କୋଟି ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ ନୀରଜଙ୍କ ଉପରେ ଧନବର୍ଷା ହେଉଛି । କାରଣ ଦୌଡକୁଦରେ ସାରା ଦେଶ ପାଇଁ ସେ ଯେଉଁ ସମ୍ମାନ ଆଣିଛନ୍ତି ତାହା ଆଗରୁ କେବେ ହୋଇନଥିଲା ।

ଭାରତୀୟ ରେଳବାଇ ନୀରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । ସେପଟେ ମଣିପୁର ସରକାର ୧କୋଟି ଟଙ୍କା ନଗଦ ଦେବେ ବୋଲି ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ ବୋର୍ଡ, ବିସିସିଆଇ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବ । ଏଥିସହ ବିସିସିଆଇ ରୌପ୍ୟପଦକ ଜିତିଥିବା ମୀରାବାଇ ଚାନୁ ଓ ରବି ଦହିଆଙ୍କୁ ୫୦ ଲକ୍ଷ ଲେଖାଁଏ ଦେବାକୁ ଘୋଷଣା କରିଛିା ଏଥିସହ କାଂସ୍ୟ ପଦକ ଜିତିଥିବା ଲଭଲିନ ଓ ବଜରଙ୍ଗ ପୁନିଆଙ୍କୁ ୨୫ ଲକ୍ଷ ଲେଖାଁଏ ପୁରସ୍କାର ରାଶି ଘୋଷଣା କରିଛିା କାଂସ୍ୟ ପଦକ ଜିତିଥିବା ପୁରୁଷ ହକି ଦଳକୁ ୧ କୋଟି ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବ ବିସିସିଆଇ । ସେପଟେ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ନୀରଜ ଚୋପ୍ରାଙ୍ôକୁ ୧ କୋଟି ଟଙ୍କା ପୁରସ୍କାର ଦେବ ।

କେବଳ ଟଙ୍କା ନୁହେଁ ବିଭିନ୍ନ ସଂସ୍ଥା ନୀରଜ ଚୋପ୍ରାଙ୍କୁ ମାଗଣା ସେବା ଯୋଗାଇଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ନୀରଜଙ୍କୁ ଏକବର୍ଷ ଯାଏଁ ମାଗଣା ବିମାତ୍ନଯାତ୍ରା ଯୋଗାଇଦେବ ବୋଲି ଘୋଷଣା କରିଛି ।

ନୀରଜଙ୍କ ଏହି ସଫଳତା ମହିଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ମଧ୍ୟ ବେଶ ଖୁସି କରିଦେଇଛି । ତୁରନ୍ତ ଏକ ନୂଆ ମହିନ୍ଦ୍ରା ଏକ୍ସୟୁଭି-୭୦୦, ନୀରଜଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଗାଡି ପ୍ରସ୍ତୁତ କରି ରଖିବାକୁ ସେ ସଂତ୍ପୃକ୍ତ ଅଧିକାରୀଙ୍କୁ ଟ୍ୱିଟ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଭାରତୀୟ ଅଲିମ୍ପିକ୍ସ ସଂଘ ନୀରଜ ଚୋପ୍ରାଙ୍କୁ ୭୫ ଲକ୍ଷ ଦେବାକୁ ଘୋଷଣା କରିଛି ।