ସଙ୍ଗରୋଧ କେନ୍ଦ୍ରରୁ ଗାଁ ମୁହାଁ ହେଉଛନ୍ତି ପ୍ରବାସୀ । ଗାଁରେ ବଢିଲା କରୋନା ଭୟ, ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୩୦ ନୂଆ ଆକ୍ରାନ୍ତ, ରାଜଧାନୀର ସାଲିଆ ସାହି ବସ୍ତିରେ କରୋନା ପଜିଟିଭ୍ ଚିହ୍ନଟ ।

670

କନକ ବ୍ୟୁରୋ: ଗାଁ କୁ ଡର କରୋନା, ସହର ପରେ ଗ୍ରାମାଂଚଳରେ ବଢ଼ୁଛି ସଂକ୍ରମଣ । ଏବେ ଓଡିଶାର ଗ୍ରାମଂଚଳକୁ କରୋନା ସଂକ୍ରମଣର ଭୟ ବଢ଼ିବାରେ ଲାଗିଛି । ପ୍ରବାସୀ ଶ୍ରମିକମାନେ ସଂଗରୋଧ କେନ୍ଦ୍ର ଛାଡି ଏବେ ଗାଁ ମୁହାଁ ହେଉଥିବାରୁ ଏହି ଭୟ ବଢ଼ିଯାଇଛି । ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ନୂଆ ଗାଇଡଲାଇନ ଅନୁସାରେ ପ୍ରବାସୀ ଶ୍ରମିକମାନେ ଏବେ ୭ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ଏବଂ ଘରେ ଆଉ ୭ଦିନ ସଂଗରୋଧରେ ରହିବେ । କିନ୍ତୁ ଏହି ପ୍ରକ୍ରିୟା କେତେଦୂର ଠିକ୍ ଭାବେ ପାଳନ ହେଉଛି ତା ଉପରେ ପ୍ରଶ୍ନ ରହିଛି ।

ଓଡିଶା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି, ବର୍ତମାନ ଯେତେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରେ ୫୦ରୁ ଅଧିକ ପ୍ରତିଶତ ଗ୍ରାମଂଚଳରୁ ଚିହ୍ନଟ ହେଉଛନ୍ତି । ମେ ୧୨ ତାରିଖ ପରେ ଓଡିଶାରେ ଏହି ଟ୍ରେଣ୍ଡ ଦେଖିବାକୁ ମିଳୁଛି ।

ପ୍ରଥମେ ମାର୍ଚ୍ଚ ମାସରେ ଯେତେବେଳେ କରୋନା ସଂକ୍ରମଣ ଆରମ୍ଭ ହେଲା ସେତେବେଳେ ବିଦେଶ କିମ୍ବା ଦିଲ୍ଲୀରୁ ଫେରୁଥିବା ଲୋକଙ୍କ ମଧ୍ୟରେ କରୋନା ଚିହ୍ନଟ ହେଉଥିଲା । ତେଣୁ ସହରାଂଚଳରେ ବିଶେଷକରି ଏହାର ପ୍ରଭାବ ଦେଖିବାକୁ ମିଳୁଥିଲା । କିନ୍ତୁ, ପରେ ପଶ୍ଚିମବଙ୍ଗ ଓ ଏବେ ପ୍ରବାସୀ ଶ୍ରମିକଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି । ବିଶେଷ କରି ସଂଗରୋଧ କେନ୍ଦ୍ରରୁ ଯେଉଁମାନେ ଘରକୁ ଫେରୁଛନ୍ତି ତାହା ଦ୍ୱାରା ସଂକ୍ରମଣ ବଢ଼ୁଥିବା ଆଶଙ୍କା କରାଯାଉଛି ।

କିନ୍ତୁ ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଓଡିଶା ସରକାର ପଂଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ସରପଂଚଙ୍କୁ ଦାୟୀତ୍ୱ ଦେବା ସହ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ଗାଁ ଗାଁରେ କରୋନାକୁ ନେଇ ସଚେତନତା ସୃଷ୍ଟି ହୋଇଛି । ବର୍ତମାନ ପ୍ରବାସୀମାନେ ଫେରୁଥିବାବେଳେ ଗାଁ ଗାଁର ଏହି ସୁରକ୍ଷା କବଚ କେମିତି କାମ କରୁଛି ତାଉପରେ ଗାଁର ସ୍ୱାସ୍ଥ୍ୟ ନିର୍ଭର କରୁଛି ।