ସ୍ନାନ ମଣ୍ଡପକୁ ଆସିଲେ ଶ୍ରୀଜିଉ, ହେଲେ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ । ଦାସିଆ ବାଉରୀ ପରି ଦୂରରୁ ହାତଟେକି ଭାବବିହ୍ୱଳ ହେଲେ ଭକ୍ତ ।

222

କନକ ବ୍ୟୁରୋ: ମହାପ୍ରଭୁଙ୍କ ମହାସ୍ନାନ । ଭାଇ-ଭଉଣୀଙ୍କ ସହ ରତ୍ନବେଦିରୁ ଓହ୍ଲାଇ ଆସି ସ୍ନାନବେଦିରେ ବିଜେ କରିଥିଲେ ଜଗତର ନାଥ । ୧୦୮ଗରା ଜଳରେ ହୋଇଥିଲା ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଭାବର ଠାକୁର ଜଗନ୍ନାଥଙ୍କ ଏହି ମହାମାନବୀୟ ଲୀଳା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି । ହେଲେ ଚଳିତ ବର୍ଷା ଖାଲି ପଡିଥିଲା ବଡଦାଣ୍ଡ । କରୋନା କଟକଣା ଯୋଗୁଁ ବିନା ଭକ୍ତର ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ଉତ୍ସବ ।

ସ୍ନାନ ମଣ୍ଡପରେ ଶ୍ରୀଜିଉ, ହେଲେ ଭକ୍ତ ଶୂନ୍ୟ ବଡଦାଣ୍ଡ । ଭକତଙ୍କ ବିନା ମହାପ୍ରଭୁଙ୍କ ମହାସ୍ନାନ । ବିଳମ୍ବିତ ରାତିରୁ ବଡ ଭାଇ, ଗେହ୍ଲି ଭଉଣୀଙ୍କ ସହ ରତ୍ନବେଦିରୁ ଓହ୍ଲାଇ, ସ୍ନାନବେଦିରେ ବିଜେ କରିଛନ୍ତି ଜଗତର ନାଥ । ପ୍ରତିବର୍ଷ ଭଳି ଏଥର କାଳିଆ ଆସିଛି ସ୍ନାନ ମଣ୍ଡପକୁ ହେଲେ ବଡଦାଣ୍ଡରେ ଭକ୍ତଙ୍କ ଗହଳି ନାହିଁ, କି ହରିବୋଲ ହୁଳହୁଳିର ଶବ୍ଦ ଶୁଭୁନି । କରୋନା କଟକଣା ଯୋଗୁଁ କେବଳ ସେବାୟତଙ୍କୁ ନେଇ ବଡ ଠାକୁରଙ୍କ ସ୍ନାନ ନିତି ଅନୁଷ୍ଠିତ ହୋଇଛି । ଆଉ ଘୋଷଯାତ୍ରାର ଆଦ୍ୟପର୍ବକୁ କେବଳ ଟିଭି ମାଧ୍ୟମରେ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭକ୍ତ ।

ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି । ବିଗ୍ରହଙ୍କ ସ୍ୱତନ୍ତ୍ର ଧୋ’ ପଖାଳ ନୀତି ପରେ ଅନୁଷ୍ଠିତ ହୋଇଥିଲା ମହାସ୍ନାନ ଉତ୍ସବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭ୍ରଦ, ଦେବୀ ସୁଭଦ୍ରାଙ୍କ ସ୍ନାନ ପାଇଁ ସାନ୍ନ ବେଦୀରେ ୧୦୮ କଳସ ସୁବାସିତ ଜଳ ଯୋଗାଇ ଦେଇଥିଲେ ଗରାବଡୁ ସେବାୟତ । ପରେ ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିଲା । ସେହିଭଳି ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଛି ।

ଗଜାନନ ବେଶ) ଚିଳତ ବର୍ଷ ରାଜ୍ୟ ସରକାରଙ୍କ କରୋନା କଟକଣା ଭିତିରେ ନୀତି କାନ୍ତି କରାଯାଉଥିବା ବେଳେ ସ୍ନାନ ମଣ୍ଡପକୁ ଆସିନଥିଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ସ୍ନାନ ମଣ୍ଡପରେ ଗଜପତିଙ୍କ ପ୍ରତିନିଧ ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା ଓ ଚାମର ସେବା ପରେ ଚତୁର୍ଧାମୂର୍ତି ଗଜାନନ ବେଶ କରାଯାଇଥିଲା । ବିଭିନ୍ନ ପ୍ରକାର ସୁଗନ୍ଧଯୁକ୍ତ ଫୁଲ ଓ ତୁଳସୀମାଳାରେ ଜଗନ୍ନାଥଙ୍କୁ କଳାହାତୀ, ବଳଭଦ୍ରଙ୍କୁ ଧଳାହାତୀ ଓ ସୁଭଦ୍ରାଙ୍କ କୁମାରୀ ବେଶ କରାଯାଇଛି । କାଳିଆ ଠାକୁରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ହାତୀବେଶ ଆସିିଥିବା ବେଳେ ହଳଧର ଓ ହଳଦିମୁଖୀଙ୍କ ପାଇଁ ରାଘବଦାସ ମଠରୁ ଆସିଥାଏ ହାତୀବେଶ । ତଳୁଚ୍ଛ, ଭିତରଚ୍ଛ, ଖୁଂଟିଆ, ପାଳିଆ ପୁଷ୍ପାଳକ ଓ ଦଇତାପତିଙ୍କ ସହାୟତାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଗଜାନନ ବେଶ ହୋଇଛି ।.. କୁହାଯାଏ, ଜଗନ୍ନାଥଙ୍କ ପରମଭକ୍ତ ଗଣପତି ଭଟ୍ଟଙ୍କ ଆନ୍ତରିକ ଇଚ୍ଛାରେ ପ୍ରଭୁ ସ୍ନାନବେଦୀରେ ଗଜାନନ ବେଶରେ ଦଶର୍ନ ଦେଇଆସୁଛନ୍ତି ।

ଗୁପ୍ତ ସେବା

ସ୍ନାନ ଯାତ୍ରା ପରେ ଆଉ ରତ୍ନ ବେଦୀକୁ ଫେରନ୍ତି ନାହିଁ ତିନି ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପୀଡିତ ହୁଅନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ସ୍ନାନଯାତ୍ରାର ୧୬ ଦିନ ପରେ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତଙ୍କୁ ଦେଖା ଦେବା ପାଇଁ ବଡଦାଣ୍ଡକୁ ବାହାରି ଆସନ୍ତି ନିଜେ ଭଗବାନ । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ଜଗତକୁ ସମାନତାର ସଂଦେଶ ଦେଇଥାଏ ।