କେରଳ କଂଗ୍ରେସକୁ ଶକ୍ତ ଝଟକା । କଂଗ୍ରେସ ଛାଡି ସିପିଆଇ(ଏମ୍) ରେ ଯୋଗଦେଲେ ରାଜ୍ୟ ମହିଳା କଂଗ୍ରେସର ଉପ ସଭାପତି କେସି ରୋଜାକୁଟ୍ଟି

110

କନକ ବ୍ୟୁରୋ : କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ଦଳର ବରିଷ୍ଠ ନେତ୍ରୀ କେ.ସି ରୋଜାକୁଟ୍ଟି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦଳରୁ ଇସ୍ତଫା ଦେବା ପରେ ଏଲଡିଏଫ୍ ନେତୃତ୍ୱାଧିନ ସିପିଆଇ (ଏମ୍) ରେ ଯୋଗ ଦେଇଛନ୍ତି । ସେ ଦୀର୍ଘ ୩୭ ବର୍ଷ ହେବ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ଇସ୍ତଫାର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି କି କଂଗ୍ରେସ ଦଳ ମହିଳା ମାନଙ୍କ ପ୍ରତି ଅଣଦେଖା କରୁଛି ।

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ରାଜ୍ୟ କଂଗ୍ରେସର ଭିତିରି କଳି ପଦାରେ ପଡିବାରେ ଲାଗିଛି । ଦଳ ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦ ଓ ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଂଚିଛି । ଦଳର ଜଣକ ପରେ ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି । ଯାହାକି କେନ୍ଦ୍ରୀୟ ନେତୃତ୍ୱଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

କହିରଖୁ କି ଦେଶରେ ଚଳିତ ମାସ ଠାରୁ ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ କେରଳ ଅନ୍ୟତମ । କେରଳରେ ମୁଖ୍ୟତ ବାମଫ୍ରଣ୍ଟ ଓ କଂଗ୍ରେସ ମଧ୍ୟରେ ଲଢେଇ ହୋଇଥାଏ । କେବେ କଂଗ୍ରେସ ତ କେବେ ବାମଫ୍ରଣ୍ଟ ସରକାର ଗଠନ କରିଥା’ନ୍ତି । ହେଲେ ଚଳିତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ସ୍ଥିତିର ଫାଇଦା ବିଜେପି ଉଠାଇ ପାରେ ବୋଲି ଅନୁମାନ କରାଯାଉଛି ।