ରାଉରକେଲା ଏନଆଇଟିରୁ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । କ୍ୟାମ୍ପସ ପରିସରରେ ସଙ୍ଗରୋଧରେ ରହିଲେ ଛାତ୍ରଛାତ୍ରୀ ।

89

କନକ ବ୍ୟୁରୋ: ରାଜ୍ୟର ପୁଣି ଏକ ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହେଲେ କୋଭିଡ୍ ସଂକ୍ରମିତ । ରାଉରକେଲା ଏନଆଇଟିର ୩ ଜଣ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପରିସରରେ ହିଁ ସଙ୍ଗରୋଧରେ ରଖାଯାଇଛି । ଗତ ମାର୍ଚ୍ଚ ୧୦ ତାରିଖରେ ସେଠାରୁ ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଗତ ୧୫ ତାରିଖ ଓ ୨୨ ତାରିଖରେ ଆଉ ଦୁଇ ଜଣ ପିଲା ସେଠାରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ।

କାହିଁକି ନା ଗତ ଦୁଇ ଦିନ ତଳେ ଏନଆଇଟି ରାଉରକେଲା ନିଜର ସମାବର୍ତ୍ତନ ଉତ୍ସବ ପାଳନ କରିଥିଲା । ଏଥିରେ ରାଷ୍ଟ୍ରପତିଙ୍କ ସହ ଓଡିଶାର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ତେଣୁ ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି । ଏହାପୂର୍ବରୁ ଭୁବନେଶ୍ୱରର ଏକ୍ସଆଇଏମବିରୁ ମଧ୍ୟ ଛାତ୍ରଛାତ୍ରୀମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଲି ଆଉ ନୂଆ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ସହିତ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି ।