ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ ଯାତ୍ରା: ଆସନ୍ତାକାଲି ଦିଗବିଜୟ ସିଂ ଓ ଜୟରାମ ରମେଶ ଉପସ୍ଥିତିରେ ବସିବ ବୈଠକ

150

କନକ ବ୍ୟୁରୋ: କନ୍ୟାକୁମାରୀରୁ କାଶ୍ମରୀ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଚଳାଇଥିବାବେଳେ, ଓଡିଶାରେ ପଦଯାତ୍ରା କରିବାକୁ ଯୋଜନା କରିଛି ପ୍ରଦେଶ କଂଗ୍ରେସ । ପଦଯାତ୍ରା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରୋଡମ୍ୟାପ ବି ପ୍ରସ୍ତୁତ କରାଯାଇଛି । ଅକ୍ଟୋବର ମାସ ଦୀପାବଳି ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରି ୨୫ଟି ଜିଲ୍ଳା ପଦଯାତ୍ରା କରିବା ପରେ ଭୁବନେଶ୍ୱରରେ ଶେଷ କରିବାକୁ ଯୋଜନା କରିଛି ଦଳ । ରାଜ୍ୟ ଭିତରେ ଶହେ ଦିନରେ ୨ହଜାର କିଲୋମିଟର ପଦଯାତ୍ରା କରିବେ କଂଗ୍ରେସ ନେତା ଓ କର୍ମୀ । ନଜର ପକାନ୍ତୁ କେଉଁ ଜିଲ୍ଲାରେ ପଦଯାତ୍ରା କରିବ କଂଗ୍ରେସ..

ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ସବୁ ଜିଲ୍ଲାରେ ହେବ ପଦଯାତ୍ରା । ସମସ୍ତଙ୍କୁ ଯେମିତି ଏହି କାର୍ଯ୍ୟର୍କ୍ରମରେ ସାମିଲ କରାଯାଇପାରିବ ସେଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି ଦଳ । ବିଜେଡି ସରକାରର ୨୨ ବର୍ଷ ଶାସନ କାଳରେ ହୋଇଥିବା ଦୁନୀର୍ତି କଥା ଉଠାଇବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବେ । ଜାତୀୟ ସ୍ତରରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ଭଳି ପଦଯାତ୍ରା କରୁଥିବା ନେତାମାନେ କଂଟେନରରେ ରାତ୍ରି ଯାପନ କରିବେ । ପଦଯାତ୍ରା କେମିତି ହେବ ସେହି ରଣନୀତି ପ୍ରସ୍ତୁତ କରିବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରିୟ ନେତା ଦିଗବିଜୟ ସିଂହ ଓ ଜୟରାମ ରମେଶ । ରବିବାର କଂଗ୍ରେସ ଭବନରେ ଜିଲ୍ଲା ସଭାପତି ଓ ପଦଯାତ୍ରାର କୋଅର୍ଡିନେଟର ମାନଙ୍କ ସହ ଆଲୋଚନା କରିବେ ।

କଂଗ୍ରେସର ପଦଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶ୍ନଉଠାଇଛନ୍ତିି ବିରୋଧୀ ବିଜେଡି ଓ ବିଜେପି । ବିଜେପି ନେତା ସମୀର ମହାନ୍ତି କହିଛନ୍ତି ନିଜର ରାଜନୈତିକ ସ୍ଥିତି ଜାହିର ପାଇଁ କଂଗ୍ରେସ ପଦଯାତ୍ରା କରୁଛି । ସେହିପରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି କଂଗ୍ରେସର ଅସ୍ତିତ୍ୱ ନାହିଁ ।

ପଦଯାତ୍ରା ପରେ ଭୁବନେଶ୍ୱରରେ ଏକ ବଡ ସମାବେଶ କରିବାକୁ ଯୋଜନା କରିଛି କଂଗ୍ରେସ । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି ।