ବାଘ ମାରିଥିଲେ ବାବା: ବାଘପାଲି ମଠ ମହନ୍ତଙ୍କ ସମେତ ୬ ଗିରଫ

398

କନକ ବ୍ୟୁରୋ: ଦେହରେ ଧଳା କପଡା, ମୁଣ୍ଡରେ ଜଟା, ଛାତି ଯାଏଁ ଲମ୍ବିଛି ଲମ୍ବା ଦାଢି । ମୁହଁରେ ପଶ୍ଚାତାପର କୌଣସି ଛାପ ନାହିଁ । କୋର୍ଟ ପରିସରରେ ପୁଲିସ ସହ ଚାଲୁଥିବା ଏହି ବ୍ୟକ୍ତି ହେଉଛନ୍ତି ସୋନପୁର ଜିଲ୍ଲା ବାଘପାଲି ଜଙ୍ଗଲରେ ଥିବା ମଠର ମହନ୍ତ ଦାନବିହାରୀ ଶରଣମ୍ ଓରଫ ଦୟାସାଗର ଥାଟୀ । ଉଲ୍ଲୁଣ୍ଡା ବନାଂଚଳରେ କଲରାପତରିଆ ବାଘ ଶିକାର ଅଭିଯୋଗରେ ମହନ୍ତ ଦୟାସାଗର ଥାଟୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ସୋନପୁର ପୁଲିସ । ବଡ କଥା ହେଉଛି ମଠ ଭିତରୁ ବାଘର ୪ଟି ପଂଝା ଜବତ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କ ପାଖରୁ ବାଘ ନଖ ଓ ଦାନ୍ତ ସହ ବିଦ୍ୟୁତ୍ ଫାଶ ପାଇଁ ବ୍ୟବହାର ହୋଇଥିବା ୫୦୦ ଗ୍ରାମର ଜିଆଇ ତାର, ପ୍ଲାଷ୍ଟିକ୍ ରଶି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ବୀରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରିଛି ପୁଲିସ ।

ସୋନପୁର ଉଲ୍ଲୁଣ୍ଡା ବନାଂଚଳ ବାଘପାଲି ଜଙ୍ଗଲରେ କଲରପତରିଆ ବାଘ ଶିକାର ଘଟଣାରେ ଜଣେ ସନ୍ଥ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯିବା ଘଟଣା ଚର୍ଚ୍ଚା ସୃଷ୍ଟି କରିିଛି । କୁହାଯାଉଛି ମଠ ଭିତରେ ବାଘ ଶିକାର ପାଇଁ ଯୋଜନା ହୋଇଥିଲା ଓ ବାବାଙ୍କ ନିର୍ଦ୍ଦେଶରେ ବାଘ ଶିକାର କରାଯାଇଥିଲା ।

ଉଲ୍ଲୁଣ୍ଡା ବନାଂଚଳରୁ କଲରାପତରିଆ ବାଘ ଶିକାର ମାମଲାରେ ମହନ୍ତ ଦୟାସାଗାର ଥାଟୀଙ୍କ ସହ ୬ ଜଣ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । କୁହାଯାଉଛି ବିଦ୍ୟୁତ ଫାସ ବିଛାଇ ବାଘ ଶିକାର ପାଇଁ ମଠରେ ଯୋଜନା ହୋଇଥିଲା । ଆଉ ବିଦ୍ୟୁତ ତାର ସଂସ୍ପର୍ଶରେ ପଡି କଲରାପତରିଆ ବାଘର ମୃତ୍ୟୁ ପରେ ବାଘର ନଖ, ପଂଝା, ଦାନ୍ତ ନେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ଅଭିଯୁକ୍ତ । ସେପ୍ଟେମ୍ବର ୧୩ ତାରିଖରେ ଜଙ୍ଗଲକୁ ଛେଲି ଚରାଇବାକୁ ଯାଇଥିବା ଗ୍ରାମବାସୀ ବାଘର ଗଳିତ ମୃତଦେହକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍ ବାଘପାଲି ଜଙ୍ଗଲରେ ପହଂଚି ବାଘର ଗଳିତ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଯାଂଚ ପରେ କଲରାପତରିଆ ବାଘ ଶିକାର ଘଟଣାରେ, ମହନ୍ତ ଦୟାସାଗର ଥାଟୀଙ୍କ ସଂପୃକ୍ତି ଜଣାପଡିଥିଲା । ଏହାପରେ ତତ୍ପରତା ଦେଖାଇ ମହନ୍ତଙ୍କ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଛି ସୋନପୁର ପୁଲିସ ।