ଇଡି ହେପାଜତରୁ ଦ୍ୱିତୀୟ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ସବୁ ହସ୍ପିଟାଲ ଓ ମହଲ୍ଲା କ୍ଲିନିକରେ ଲୋକଙ୍କୁ ମାଗଣା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ

120

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ସରକାର ନୂଆ ବିତର୍କ ଆରମ୍ଭ କରିଛନ୍ତି । ଅର୍ଥାତ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀ ବି ସରକାର ଚଳାଇପାରିବେ । କେଜରିୱାଲ ଯାହା କହିଥିଲେ, ତାକୁ କରି ବି ଦେଖାଇଦେଲେ । ଆଉ ଇଡିର ହେଫାଜତରେ ଥିବା ଜଣେ ମୁଖ୍ୟମନ୍ତ୍ରୀ ଦୁଇଟି ଆଦେଶ ବି ଜାରି କରିସାରିଲେଣି, ଯାହା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମେ ପାଣି ଓ ଏବେ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଏହା ସୁନିଶ୍ଚିତ କରନ୍ତୁ ଯେ, ଦିଲ୍ଲୀର ସବୁ ହସପିଟାଲ ଓ ମହଲ୍ଲା କ୍ଲିନିକରେ ଲୋକଙ୍କୁ ମାଗଣା ସବୁିଧା ଉପଲବ୍ଧ ରହିବ ଓ ମେଡିକାଲ ଟେଷ୍ଟ ବି ଠିକ୍ ଭାବେ ହେବ ।

ଜେଲରେ ରହି ଅରବିନ୍ଦ କେଜରିୱାଲ କେତେ ଦିନ ସରକାର ଚଳାଇବେ , ତାହା ତ ସମୟ କହିବ । କିନ୍ତୁ ଏବେ ଏହାକୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠଛି, ତାର ଉତର ସେ ନିଜେ ହିଁ ଦେଇପାରିବେ ।

ମନୀଷ ଶିଶୋଦିଆ ଓ ସତ୍ୟେନ୍ଦ୍ର ଜୈନ ଇସ୍ତଫା ଦେଲେ କାହିଁକି?
କେଜରିୱାଲଙ୍କୁ ଲାଗୁଛି ସେ ଜେଲରୁ ବି ସରକାର ଚଳାଇପାରିବେ । ତାହାହେଲେ ମନୀଷ ଶିଶୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ କ୍ଷେତ୍ରରେ ଏହାକୁ ସେ ଲାଗୁ କଲେ ନାହିଁ କାହିଁକି? ସେମାନେ ବି ଜେଲରୁ ନିର୍ଦ୍ଦେଶ ଜାରି କରିପାରିଥାନ୍ତେ ।

ଲାଲୁ, ହେମନ୍ତ ଇସ୍ତଫା ଦେଲେ, କେଜରିୱାଲଙ୍କୁ ଡର କାହିଁକି?
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଲାଲୁ ଯାଦବ ଓ ହେମନ୍ତ ସୋରେନଙ୍କ ଉଦାହରଣ ଅଛି । ସେ ଲାଲୁଙ୍କ ରାବ୍ରୀ ମଡେଲ ଓ ହେମନ୍ତଙ୍କ ମାଂଝି ମଡେଲକୁ ଆପଣାଇପାରିଥାନ୍ତେ । ଯାହା ଜଣାପଡୁଛି, କେରଜିୱାଲଙ୍କୁ ବର୍ତମାନ ପାଇଁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବାର ନାହିଁ । ତେଣୁ ଆଜି ନୁହେଁ କାଲି ତାଙ୍କୁ ଇସ୍ତଫା ଦେବାକୁ ହିଁ ପଡିବ । ପତ୍ନୀ ସୁନୀତାଙ୍କୁ ମୁଖ୍ୟମନ୍ତ୍ରୀ ନ କରି ଇସ୍ତଫା ଦେବାକୁ ସେ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆପ୍ ନେତା ଭରସାଯୋଗ୍ୟ ନୁହନ୍ତି କି?
ପ୍ରଶ୍ନ ଉଠୁଛି, ଆପର ଅନ୍ୟ ନେତାଙ୍କୁ ଭରସାରେ ନେଇପାରୁନାହାନ୍ତି କି ଅରବିନ୍ଦ କେଜରିୱାଲ । କାରଣ , ଧିରେ ଧିରେ ଆପର ବଡ ନେତା ଦଳ ଛାଡୁଛନ୍ତି । ତେଣୁ ସୌରଭ ଭରଦ୍ୱାଜ, ଆତିଶି କିମ୍ବା ଗୋପାଳ ରାୟଙ୍କୁ ପଦଭାର ଦେଲେ ଭବିଷ୍ୟତରେ ସେମାନେ ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି କି? କାରଣ, ଭାରତୀୟ ରାଜନୀତିରେ ବିଶ୍ୱାସଘାତ କରିବାର ନଜର ଅନେକ ରହିଛି । ନୀତିଶ କୁମାରଙ୍କ କ୍ଷେତ୍ରରେ ବି ଏଭଳି ଘଟିଛି ।

ଓଲଟା ପଡିଗଲା ବି ବିନା ବିଭାଗରେ ରହିବା?
ଅରବିନ୍ଦ କେଜରିୱାଲ ନିଜ ପାଖରେ କୌଣସି ବିଭାଗ ରଖିନଥିଲେ । ନିଜ ସହଯୋଗୀଙ୍କୁ ପ୍ରମୁଖ ବିଭାଗ ଦେଇଦେଇଥିଲେ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଇନଗତ ବିବାଦରୁ ବଂଚିବା ପାଇଁ ସେ ଏଭଳି କରିଥିଲେ । କିନ୍ତୁ ଯାହା ଭାବିଥିଲେ ତାହା ହେଲା ନାହିଁ । ଆଉ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଶେଷରେ ଜେଲ ଯିବାକୁ ହିଁ ପଡିଛି ।
କେଜ୍ରିୱାଲଙ୍କୁ ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା । ମାର୍ଚ୍ଚ ୨୨ରେ ତାଙ୍କୁ ଦିଲ୍ଲୀ କୋର୍ଟ ୬ ଦିନିଆ ଇଡି ରିମାଣ୍ଡକୁ ପଠାଇଦେଇଥିଲେ । ଏବେ ସମସ୍ତଙ୍କ ନଜର ରହିଛି କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ।