ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ । ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

845

କନକ ବ୍ୟୁରୋ : ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ବିଗିଡି ଯାଇଛି । ହୃଦଘାତ କାରଣରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଜିମରେ ୱାର୍କଆଉଟ କରୁଥିବା ବେଳେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ରାଜୁଙ୍କ ଲୋକସଂପର୍କ ବିଭାଗର ମୁଖ୍ୟ ଅଜିତଙ୍କ କହିବା ମୁତାବକ ଏକ କମେଡିଆନ ପାର୍ଟିରେ ରାଜୁ ଶ୍ରୀବାସ୍ତବ କିଛି ବଡ ବଡ ନେତାଙ୍କୁ ଭେଟିବାକୁ ଦିଲ୍ଲୀରେ ରହିଥିଲେ । ହେଲେ ସକାଳେ ଜିମ୍ କରିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା । ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସେ କହିଛନ୍ତି ।

ସେପଟେ ଏଭଳି ଖବର ପ୍ରଚାରିତ ହେବା ପରେ ମର୍ମାହତ ହୋଇପଡିଛନ୍ତି ରାଜୁଙ୍କ ପ୍ରଶଂସକମାନେ । କିଛି ପ୍ରଶଂସକ ସୋସିଆଲ ମିଡିଆରେ ରାଜୁଙ୍କ ଆଶୁଆରୋଗ୍ୟ କାମନା କରୁଥିବାର ପୋଷ୍ଟ ସେୟାର କରିଛନ୍ତି । କହିରଖୁ କି, ରାଜୁ ଜଣେ ପ୍ରସିଦ୍ଧ କମେଡିଆନ ସହ ଉତ୍ତର ପ୍ରଦେଶ ସିନେ ବିକାଶ ପରିଷଦର ଚେୟାରମ୍ୟାନ ବି ଅଛନ୍ତି ।

ରାଜୁ ଶ୍ରୀବାସ୍ତବ ଜଣେ ପ୍ରସିଦ୍ଧ ହାସ୍ୟାଭିନେତା । ସେ ଅନେକ ଚଳଚିତ୍ର ସହ ଟିଭି ସିରିଅଲରେ କାର୍ଯ୍ୟ କରିଛନ୍ତି । ଅନେକ ବର୍ଷ ଧରି ସେ ଲୋକଙ୍କ ମନୋରଞ୍ଜନ କରିଚାଲିଛନ୍ତି । ତାଙ୍କର ସ୍ପିନ ଅଫ୍ ଶୋ ‘ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ- ଚମ୍ପିଅନ୍ସ’ ରେ ରାଜୁ ବିଜୟୀ ହୋଇ କିଙ୍ଗ ଅଫ୍ କମେଡି ଉପାଧି ହାସଲ କରିଥିଲେ । ଏହାସହ ରାଜୁ ବିଗ୍ ବସ-୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।