ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ଓଡି଼ଶାରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା, ୯୬ ଲକ୍ଷ ପରିବାରକୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା । ନବୀନ କହିଲେ, ସମସ୍ତଙ୍କ ଜୀବନ ମୂଲ୍ୟବାନ । 

403

କନକ ବ୍ୟୁରୋ : ମାଲକାନଗିରିରୁ ଆରମ୍ଭ ହୋଇଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପ୍ରକ୍ରିୟା । ଏହା ଜରିଆରେ ପଞ୍ଚାୟତ ଦଖଲ ପାଇଁ ବିଜେଡି ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ କାର୍ଡ ବାଣ୍ଟିଥିବା ବେଳେ ଏବେ ବ୍ଲକ ଓ ପଞ୍ଚାୟତ ସ୍ତରକୁ ଯିବେ ବିଧାୟକ ଓ ନେତା ମନ୍ତ୍ରୀ । ୯୬ଲକ୍ଷ ପରିବାରକୁ ଏକକାଳୀନ ଯୋଜନା ଜରିଆରେ ପହଞ୍ଚି ତୃଣମୂଳ ସ୍ତରରେ ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ କରିବାକୁ ଦଳ ଳକ୍ଷ୍ୟ ରଖିଛି । ସେହିଭଳି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ ଏଜେଣ୍ଡାରେ ସାମିଲ କରିଛି ଶାସକ ବିଜେଡି ।

ଫୋକସରେ ପଞ୍ଚାୟତ ନିର୍ବାଚନ । ମାଲକାନଗିରିରୁ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବଣ୍ଟନ । ୬ ମାସ ପରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ପାଗ ଭିଡିଛି ବିଜେଡି । ମାଲକାନଗିରିରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟା ଏବେ ବ୍ଲକ ଆଉ ପଞ୍ଚାୟତ ସ୍ତରରେ ଜାରି ରଖିବେ ମନ୍ତ୍ରୀ ଓ ବିଧାୟକ । ଏଥିପାଇଁ ଦାୟିତ୍ୱ ବଣ୍ଟାସରିଛି । ଗାଁ ଗାଁରେ ସ୍ମାର୍ଟ କାର୍ଡ ଜରିଆରେ ପହଞ୍ଚିବାକୁ ହୋଇଛି ରଣନୀତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିକିତ୍ସା ପାଇଁ କାହାର ଯେମିତି ଅସୁବିଧା ନହୁଏ ତାକୁ ଦୃଷ୍ଟିରେ ରଖି ଯୋଜନା ଆରମ୍ଭ କରାଯାଇଛି ।

ଯୋଜନାରେ

– ୯୬ ଲକ୍ଷ ପରିବାକୁ କାର୍ଡ ବଣ୍ଟାଯିବ, ସାଢେ ୩ କୋଟି ଲୋକ ଉପକୃତ ହେବେ

– ହସ୍ପିଟାଲରେ କାହାକୁ କୌଣସି କାଗଜପତ୍ର ଦେବାକୁ ପଡିବ ନାହିଁ

– ସ୍ମାର୍ଟ ହେଲଥ କାର୍ଡ ପାଖରେ ଥିଲେ, ମିଳିବ ଚିକିତ୍ସା ସୁବିଧା

– ଦେଶର ୨୦୦ ବଡ ବଡ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସିତ ହୋଇପାରିବେ

– ପରିବାର ପାଇଁ ୫ ଲକ୍ଷ, ମହିଳାଙ୍କ ପାଇଁ ୧୦ ଲକ୍ଷର ବ୍ୟବସ୍ଥା ରହିଛି

ଏଭଳି ସୁବିଧା ଦେବାରେ ଦେଶରେ ରାଜ୍ୟ ପ୍ରଥମ ଏବଂ ଏହାକୁ ଐତିହାସିକ ନିଷ୍ପତି କହି ଲୋକଙ୍କ ବିଶ୍ୱାସ ଜିଣିବାକୁ ଉଦ୍ୟମ କରିଛି ଶାସକ ଦଳ ।

ବଡ କଥା ହେଉଛି, ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟା କେବଳ ମାଲକାନଗିରିରେ ସୀମିତ ରହିବ ନାହିଁ । ଅନ୍ୟ ଜିଲ୍ଲାକୁ ମଧ୍ୟ ଦଳ ବଳ ଘେନି ଓହ୍ଲାଇବେ ଦଳୀୟ ମୁଖିଆ । ମାସ ଶେଷକୁ ସୁନ୍ଦରଗଡ ପରେ ମୟୁରଭଂଜ ଓ ବଲାଙ୍ଗୀର ଗସ୍ତ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି ।

ସୁଚନା ଅନୁସାରେ, କେବଳ ସ୍ମାର୍ଟ ହେଲଥ କାର୍ଡ ନୁହେଁ, ସ୍ମାର୍ଟ ସ୍କୁଲ ମଧ୍ୟ ରହିଛି ପ୍ରଚାର ଏଜେଣ୍ଡାରେ । ୧୦୦ରୁ ଅଧିକ ବିଧାୟକ ୨୩ରୁ ଗଂଜାମର ଏକାଧିକ ସ୍କୁଲ ବୁଲିବା ସହ ଏହି କାର୍ଯ୍ୟ ନେଇ ଜନସଚେତନତା ସୃଷ୍ଟି କରିବେ । ନିର୍ବାଚନ ପାଇଁ ସିନା ବିଗୁଲ ବାଜିନି, ହେଲେ ୨୦୧୭ରେ ଯେଉଁ ଝଟକା ଶାସକ ଦଳ ପାଇଥିଲା, ତାକୁ ପ୍ରତିହତ କରିବାକୁ ଏବେଠାରୁ ଲାଗୁପଡିଲାଣି ଦଳ ।