ସରିଲା ବିରୋଧୀଙ୍କ ସହ ସୋନିଆଙ୍କ ବୈଠକ । ମିଶନ ୨୦୨୪ ପାଇଁ ବଡ ଯୋଜନା, ବୈଠକକୁ ଆସିଲେ ନାହିଁ ଅଖିଳେଶ ଓ ମାୟାବତୀ ।

194

କନକ ବ୍ୟୁରୋ : ଆଜି ଦେଶର ୧୯ ଟି ବିରୋଧୀଦଳଙ୍କ ସହ ବୈଠକ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ବୈଠକ ଭର୍ଚୁଆଲି ଅନୁଷ୍ଠିତ ହୋଇଥିଲା ଓ ବୈଠକରେ ସୋନିଆ ଗାନ୍ଧୀ ଅନ୍ୟ ବିରୋଧୀଦଳଙ୍କୁ ବିଶ୍ୱାସ ଦେଇଛନ୍ତି କି ଚଳିତ ସଂସଦ ଅଧିବେଶନରେ ଯେଭଳି ବିରୋଧୀମାନେ ଏକଜୁଟ ହୋଇ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରିଥିଲେ ତାହା ଆଗାମୀ ଦିନରେ ବି ଦେଖିବାକୁ ମିଳିବ । ଏହାସହ ଏହି ବୈଠକରେ ସଂସଦ ବାହାରେ ବି ଏକ ବଡ ରାଜନୈତିକ ଲଢେଇ ଲଢିବା ସହ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀମାନେ ଏକଜୁଟ ହେବା ନେଇ ସୋନିଆ ସଂକେତ ଦେଇଛନ୍ତି ।

ସେ କହିଛନ୍ତି କି ଅନ୍ତିମ ଲକ୍ଷ୍ୟ ୨୦୨୪ ନିର୍ବାଚନ, ଯାହାକୁ ନଜରରେ ରଖି ଏବେଠାରୁ ବିରୋଧୀମାନେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି କି ସବୁ ରାଜନୈତିକ ଦଳମାନଙ୍କର କିଛି ନା କିଛି ବାଧ୍ୟ ବାଧକତା ରହିଛି, ହେଲେ ଦେଶର ସ୍ୱାର୍ଥ ତା ଠାରୁ ଆଗରେ ବୋଲି ସେ କହିଛନ୍ତି ।

ଏହି ବୈଠକରେ ଏନସିପି ପ୍ରମୁଖ ଶରଦ ପାୱାର, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବ୍ଦୁଲ୍ଲା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସମେତ ୧୫ ରୁ ଅଧିକ ବିରୋଧୀଦଳ ନେତା ଭର୍ଚୁଆଲି ଯୋଗ ଦେଇଥିଲେ । ସବୁଠାରୁ ବଡକଥା ହେଉଛି କି ଏହି ବୈଠକରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ତରଫରୁ କୌଣସି ନେତା ଯୋଗ ଦେଇ ନାହାନ୍ତି ।