ଓଡି଼ଶାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାୱାର-ସୋ । ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଲେ, ବକୁଳ ବନ ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ । ସେପଟେ ଟ୍ରେନରେ ବୁଲି ଲୋକଙ୍କ ସହ କଥା ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

156

କନକ ବ୍ୟୁରୋ : ଶାସକ ଦଳକୁ ମାତ୍ ଦେବାକୁ ବିଜେପି ମଧ୍ୟ ପଛରେ ନାହିଁ । ଜନଆଶୀର୍ବାଦ କାର୍ଯ୍ୟକ୍ରମରେ ନେତା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଓ ମୋଦୀ ସରକାରଙ୍କର ଯୋଜନା ଓ ସଫଳତାକୁ ବଖାଣୁଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ପ୍ରଦର୍ଶନ କରିଥିଲା ତାହା ଦୋହରାଇବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରି ଦଳ ଆଗକୁ ବଢୁଛି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଘନ ଘନ ଜିଲ୍ଲା ଗସ୍ତ ତୃଣମୂଳ ସ୍ତରରେ ଦଳରେ ଶକ୍ତି ସଂଚାର କରୁଥିବା ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ବିଜେଡି, ତାର ପଞ୍ଚାୟତ ପ୍ଲାନକୁ ଜୋରଦାର କରିଥିବା ବେଳେ ବିଜେପି ମଧ୍ୟ ପୂରା ଦମ୍ ଲଗାଇଦେଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ଗୁରୁବାର ଦିନ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଜନ ଆଶୀର୍ବାଦ ଯାତ୍ରା ଜରିଆରେ ଲୋକଙ୍କ ନିକଟବର୍ତି ହେବାକୁ ଉଦ୍ୟମ କରିଛି ବିଜେପି ।

ନେତା, କର୍ମୀଙ୍କ ଗହଣରେ ଭୁବନେଶ୍ୱର ଓ ପୁରୀ ଶ୍ରୀମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ କେନ୍ଦ୍ରମନ୍ତ୍ରୀ । ଗୋପବନ୍ଧୁଙ୍କ ବକୁଳ ବନ ବିଦ୍ୟାଳୟ କିପରି ଭଲ ମଣିଷ ତିଆରି କରୁଥିଲା, ତାହା ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ଥାନକୁ ଆସିବା ପାଇଁ ନିମନ୍ତ୍ରଣ କରିବେ ବୋଲି କହିଥିଲେ ଧର୍ମେନ୍ଦ୍ର । ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବ୍ୟାପକ ଆକାରରେ ଗଢ଼ିବାକୁ ଓଡ଼ିଶା ସରକାର ଯୋଜନା କରୁଛନ୍ତି, ସେଥିରେ ମଧ୍ୟ ଭାଗ ବସାଇବାକୁ ଯୋଜନା କରିଛନ୍ତି ଶିକ୍ଷାମନ୍ତ୍ରୀ ।

ତିନି ଦିନ ମଧ୍ୟରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଗସ୍ତରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ ।

ରାୟଗଡ଼ାରେ ଟ୍ରେନରେ ପହଞ୍ଚିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯାତ୍ରୀଙ୍କ ସମସ୍ୟା କଥା ବୁଝିବା ସହ ଫିଡବ୍ୟାକ୍ ନେଇଛନ୍ତି । ଜନ ଆଶୀର୍ବାଦ ଯାତ୍ରାରେ ଯାଇ ରାୟଗଡାରେ ପହଞ୍ଚିବା ପରେ ଦଳୀୟ ନେତା, କର୍ମୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଓଡିଶାକୁ ଗୁରୁତ୍ୱ ଦେଉଥିବା କହିଛନ୍ତି ରେଳମନ୍ତ୍ରୀ । ମୋଦୀଙ୍କ କ୍ୟାବିନେଟରେ ରେଳ, ଗମନାଗମନ, ଶିକ୍ଷା, ଜଳସମ୍ପଦ, ଜନଜାତି ବିକାଶ ଓ ଆଇଟି ଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓଡିଶାକୁ ଦିଆଯାଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ରାୟଗଡ଼ାରୁ କୋରାପୁଟ ପହଞ୍ଚିଥିଲେ ଅଶ୍ୱିନୀ । ଲକ୍ଷ୍ମୀପୁର ସ୍ଥିତ ତୟାପୁଟ ଠାରେ ଆଦିବାସୀ ବାଦ୍ୟର ତାଳେ ତାଳେ ନାଚିଥିଲେ ରେଳମନ୍ତ୍ରୀ । ନୂଆ ଯୋଜନା ଓ ରଣନୀତି ଜରିଆରେ ପଂଚାୟତ ବିଜୟ ପାଇଁ ନେତା କସରତ କରୁଥିବା ବେଳେ ତୃଣମୂଳ ସ୍ତରରେ କି ସମସ୍ୟା ରହିଛି, ସରକାରୀ ଯୋଜନା ବାସ୍ତବିକ କେତେ କାର୍ଯ୍ୟ କରୁଛି, ତାହା ଉପରେ ନିର୍ଭର କରିବ କାହା ସମର୍ଥନରେ ଯିବ ଜନମତ ।