ଲଦାଖ ସୀମାରେ ପୁଣି ହଲଚଲ : କିଛି ମାସର ନୀରବତା ପରେ ପୁଣି ଘନେଇଲାଣି ସ୍ଥିତି; ମୁକାବିଲା ପାଇଁ ରାଫେଲ୍ ମୁତୟନ କଲା ଭାରତ

551

କନକ ବ୍ୟୁରୋ : ଦେଶ ଏବେ କରୋନା ସହିତ ଲଢେଇ କରୁଛି । ସେପଟେ ସୀମାରେ ଚୀନ୍ ପୁଣି ଆରମ୍ଭ କରିଛି ଚାଲ୍ । ପୂର୍ବ ଲଦାଖ ଆକାଶରେ ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି । ପୂର୍ବ ଲଦାଖରେ ଭାରତୀୟ ସେନା ରହୁଥିବା ଅଂଚଳ ନିକଟରେ ଚୀନ୍ ର ବାୟୁସେନା ଏକ ବଡ ଧରଣର ଅଭ୍ୟାସ କରିଥିବା ଜଣାପଡିଛି ।

ଶୀର୍ଷ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପୂର୍ବ ଲଦାଖର ଆଗୁଆ ଘାଟିରେ ଚୀନ୍ ବାୟୁସେନାର ୨୦ରୁ ଅଧିକ ଲଢୁଆ ଯୁଦ୍ଧ ବିମାନ ଏହି ସୈନ୍ୟ ଅଭ୍ୟାସରେ ସାମିଲ ହୋଇଥିଲେ । ଏହି ଯୁଦ୍ଧ ଅଭ୍ୟାସ ସେହି ଏୟାର ବେସରୁ କରାଯାଇଛି , ଗତବର୍ଷ ଯେଉଁ ଏୟାରବେସରେ ଚୀନ୍ ଏହାର ସେନାକୁ ଲଦାଖରେ ସମସ୍ତ ସହାୟତା ପହଁଚାଉଥିଲା । ତେବେ ଚୀନର ଏପରି ଚାଲ୍ ଦେଖିବା ପରେ ଭାରତ ମଧ୍ୟ ତାର ପ୍ରସ୍ତୁତି ଜୋରଦାର କରିଦେଇଛି । ଲଦାଖର ସୀମାକୁ ଭାରତ ରାଫେଲ୍ ମୁତୟନ କରିବା ସହ ଅନ୍ୟ ଅତ୍ୟାଧୁନିକ ଯୁଦ୍ଧ ବିମାନ ସଜାଗ କରିଦେଇଛି ।

ଲଦାଖର ଚୀନ୍ ସୀମାକୁ ଲାଗିଥିବା କାଶଗର, ହୋତାନ୍, ନାଗରୀ ଗୁସନା, ଶୁଗାସ୍ତେ, ହ୍ଲସା ଗ୍ୟାଙ୍ଗକର, ଚେଙ୍ଗଚୀ ଏବଂ ନେଙ୍ଗଡା ପଙ୍ଗଟା ଏୟାରବେସ୍ ରହିଛି । ଚୀନର ଏହି ୭ଟି ସୈନ୍ୟ ଠିକଣାରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛି ଭାରତୀୟ ସେନା । ଭାରତୀୟ ବାୟୁସେନାର ପଶ୍ଚିମ ଓ ଉତର ମୋର୍ଚ୍ଚାକୁ ଏପରି ସ୍ଥିତିର ମୁକାବିଲା ପାଇଁ ଆଲର୍ଟ କରାଯାଇଥିବା କୁହାଯାଇଛି ।

ସୂଚନା ମିଳିଛି ଚୀନ୍ ସେନା ପିପୁଲସ୍ ଲିବରେସନ୍ ଆର୍ମିର ବାୟୁସେନା ବିଭାଗ ନିକଟରେ ଏହାର ସୀମାନ୍ତ ଏୟାରବେସ୍ ଗୁଡିକୁ ଅପଗ୍ରେଡ୍ କରିଛି । ଏସବୁରୁ ଏହାର ଯୁଦ୍ଧ ବିମାନକୁ ଉଡାଇ ଚୀନ୍ ସୀମାରେ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଆଗୁଆ ପରଖି ନେଉଛି । ଡ୍ରାଗନର ଏପରି ଚାଲ ପରେ, ୨୦୧୯ ରେ ଗଲୱାନ ସଂଘର୍ଷ କଥା ମନକୁ ଆସୁଛି । ଏହାକୁ ନେଇ ଭାରତୀୟ ସେନା ସଜାଗ ଥିବା କୁହାଯାଇଛି ।