ନୂଆ ଢଙ୍ଗରେ ପରସା ହେଉଛି ଦହିବରା । ଆଳୁଦମ୍ ବଦଳରେ ଦିଆଯାଉଛି ଚିକେନ ଓ ମଟନ ।

681

କନକ ବ୍ୟୁରୋ: ଓଡିଆ ଖାଦ୍ୟର ଚାହିଦା ଆଉ ସ୍ୱାଦ ବିଷୟରେ ଯେତେ କହିଲେ ବି କମ୍ ହେବ । ସକାଳୁ ସକାଳୁ ଯଦି ଆପଣ ବଜାରକୁ ଯିବେ ତାହେଲେ ଆପଣ ସହଜରେ ଅନୁମାନ କରିପାରିବେ । ଆଉ ଏସବୁ ଖାଦ୍ୟ ଭିତରେ ଦହିବରାର ସ୍ୱାଦ ବେଶ୍ ଭିନ୍ନ । କଟକ ଦହିବରା କଥା ଶୁଣିଲେ ତ ଆପେ ଆପେ ପାଟିରୁ ଲାଳ ଗଡିଆସେ । କିନ୍ତୁ ଆମେ ଆପଣଙ୍କୁ ଜଟଣୀର ଏମିତି ଗୋଟିଏ ଦୋକାନ ବିଷୟରେ କହିବୁ ଯେଉଁଠି ଆପଣ ଦହିବରା ତ ଖାଇବେ କିନ୍ତୁ ଟିକେ ଅଲଗା ପ୍ରକାରର । ଏଠାରେ ଖାଲି ଦହିବରା ନୁହେଁ ବରଂ ଚିକେନ୍, ମଟନ ଦହିବରା ମିଳେ । ଯାହାକୁ ଖାଇବାକୁ ଲୋକଙ୍କ ପ୍ରବଳ ଗହଳି ବି ଜମେ ।

ସାଧାରଣଭାବେ ଦହିବରା ଆଳୁଦମ୍ ଆପଣ ଖାଉଥିବେ । କିନ୍ତୁ ଆପଣଙ୍କ ସ୍କ୍ରିନରେ ଥିବା ଦହିବରା ଟିକେ ଭିନ୍ନ । ଏଠାରେ ଦହିବରା ସାଙ୍ଗରେ ଆଳୁଦମ୍ ନୁହେଁ ବରଂ ଉଙ୍କନ କିମ୍ବା ଚିକେନ ପାଇବେ । ଆଜ୍ଞା ହଁ ଜଟଣୀର ଏହି ଦହିବରା ଦୋକାନରେ ଲାଗେ ଲୋକଙ୍କ ପ୍ରବଳ ଗହଳି । ଜଟଣୀର ହରିଭାଈନା ଛକରୁ ଛଣଘର ରାସ୍ତାରେ ଗଲେ କଲେଜ ଛକ ନିକଟରେ ରହିଛି ଶିବ ପ୍ରସାଦଙ୍କ ଏହି ଠେଲାଗାଡି । ୪/୫ ବର୍ଷ ଧରି ଘରର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆରମ୍ଭ କରିଥିଲେ ଆଲୁଦମ ଦହିବାର ବେପାର। ହେଲେ ଚାରିଆଡେ ଏହି ବେପାରୀଙ୍କ ସଂଖ୍ୟା ଦେଖି କିଛି ନୂଆ ଓ ସ୍ୱାଦିଷ୍ଟ ଖାଦ୍ୟ ଗ୍ରାହକଙ୍କୁ ଯୋଗାଇ ଦେବା ପାଇଁ ଚିନ୍ତା କରି ଆରମ୍ଭ କରିଲେ ଚିକେନ, ମଟନ ଦହିବରା । ବଡ କଥା ହେଉଛି ଶିବପ୍ରସାଦଙ୍କ ଏହି ମଟନ କିମ୍ବା ଚିକେନ ଦହିବରା ଖାଇବାକୁ ଲୋକଙ୍କର ବି ବେଶ୍ ଗହଳି ଦେଖିବାକୁ ମିଳେ ।

ସକାଳ ୮ଟାରୁ ଆରମ୍ଭ ହୁଏ ଶିବପ୍ରସାଦଙ୍କ ବେପାର । ସାଧାରଣ ଲୋକ, କଲେଜ ପିଲାଙ୍କର ଏଠାରେ ସବୁବେଳେ ଭିଡ ଜମିଥାଏ । କେବଳ ଦହିବରା ନୁହେଁ, ଶିବ ପ୍ରସାଦଙ୍କ ଏହି ଦୋକାନରେ ଚିକେନ ଚକୁଳି, ମଟନ ଚକୁଳି, ଚିକେନ ଇଡଲି, ମଟନ ଇଡିଲି, ଉପମା ଆଦି ବି ମିଳେ । ବଡ କଥା ହେଉଛି ଲୋକଙ୍କ ସୁହାଇଲା ଭଳି ଦର ରହିଥିବାରୁ ଏସବୁ ଖାଇବାକୁ ଲୋକଙ୍କ ଭିଡ ଜମେ । ଚିକେନ ଦହିବରା ପ୍ଲେଟ ୫୦ଟଙ୍କା, ମଟନ ଦହିବରା ପ୍ଲେଟ ଶହେ ଟଙ୍କା ରହିଛି । କିଛି ଭିନ୍ନ, ସୁଆଦିଆ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଶିବପ୍ରସାଦ ଆରମ୍ଭ କରିଥିବା ଏହି ବ୍ୟବସାୟକୁ ଆଗକୁ ଆହୁରି ବଢାଇବା ନେଇ ସେ ଆଶାବାଦୀ ଅଛନ୍ତି ।