କନକ ବ୍ୟୁରୋ: ପରମ୍ପରାର ଦୁନିଆରେ ପ୍ଳାଷ୍ଟିକ ବଦଳରେ ବଡ଼ୁଛି ମାଟିର ଚାହିଦା । ପାଣି ପିଇବା ବୋତଲ ଠାରୁ ରନ୍ଧା ସାମଗ୍ରୀ ସବୁ କିଛି ମାଟିରେ ତିଆରି । ଦେଖିବାକୁ ଯେତିକି ସୁନ୍ଦର, ବ୍ୟବହାର କରିବା ସେତିକି ସହଜ । ହଜିବାକୁ ବସିଥିବା ମାଟି ସାମଗ୍ରୀ ଏବେ ନୁଆ ରୁପରେ । ଆଉ ଏହାକୁ କିଣିବାକୁ ମଧ୍ୟ ଏବେ ଲୋକଙ୍କ ଭିଡ଼ ।
ଆଧୁନିକ ପିଢ଼ିରେ ପ୍ଳାଷ୍ଟିକ ସାମଗ୍ରୀର ଚାହିଦା ରହିଥିବା ବେଳେ ଏବେ ଜୟପୁର ସହରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଘର କୋଣରେ ସଜାଇବାର ସାମଗ୍ରୀ ହେଉ କି ରନ୍ଧା ସାମଗ୍ରୀ । ଚା କପ୍ ଠାରୁ ହଟ କେଶ, ରୋଟି ସେକିବା ତାୱା ଠାରୁ ରୋଷଇ ହାଣ୍ଡି, ଏପରିକି ଘର କରଣା ସାମଗ୍ରୀ ସବୁ କିଛି ତିଆରି ମାଟିରେ । ଦୁରରୁ ଦେଖିବାକୁ ପ୍ଳାଷ୍ଟିକ ଭଳି ଦେଖାଯାଉଥିଲେ ମଧ୍ୟ ଏହି ସବୁ ତିଆରି ମାଟିରେ । ଦେଖିଲେ କେହି ବିଶ୍ୱାସ କରିବେ ନାହିଁ ଯେ ମାଟିରେ ମଧ୍ୟ ଏପରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ ହୋଇପାରୁଛି ।
ଦେଖିବାକୁ ଯେତିକି ସୁନ୍ଦର ବ୍ୟବହାର କରିବାକୁ ମଧ୍ୟ ସେତିକି ସହଜ । ସହରର ପ୍ରତିଟି ରାସ୍ତା କଡ଼ରେ ଓ ଛକରେ ଏଭଳି ସାମଗ୍ରୀ ଏବେ ଲୋକଙ୍କ ଚାହିଦାକୁ ପୁରଣ କରୁଛି । ଯିଏ ବି ରାସ୍ତାରେ ଯାଉଛି, କ୍ଷଣକ ପାଇଁ ରାସ୍ତା କଡ଼ରେ ଥିବା ଏହି ସାମଗ୍ରୀକୁ ଦେଖି ଅଟକି ଯାଉଛି । କିଏ ଦାମ ପଚାରି କିଣୁଛି ତ କିଏ ସୁନ୍ଦର ଏବଂ ମାଟିର ନୁଆ ରୁପ ଦେଖି କିଣି ନେଉଛି ।
ରାସ୍ତା କଡ଼ରେ ସଜେଇ ହୋଇ ରହିଥିବା ଏହି ସବୁ ସାମଗ୍ରୀ ଜୟପୁର ସହରରେ ତ ବିକ୍ରୀ ହେଉଛି କିନ୍ତୁ ଆସୁଛି ସୁଦୁର ରାଜସ୍ତାନ ଜୟପୁରରୁ । ଏସବୁର ମୂଲ୍ୟ ୧୦୦ ରୁ ଆରମ୍ବ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସହରରେ ବଡ଼ୁଥିବା ମାଟି ସାମଗ୍ରୀର ଚାହିଦାକୁ ଦେଖି ରାଜସ୍ଥାନରୁ ଅନେକ ପରିବାର ଏବେ ଏହି ମାଟି ତିଆରି ସାମଗ୍ରୀକୁ ନେଇ ନିଜର ଜୀବିକା ରୁପେ ଜୟପୁର ସହରକୁ ବାଛି ନେଇଛନ୍ତି ।
ପ୍ରତିଦିନ ୨ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରତେକ ରାଜସ୍ତାନୀ ପରିବାର ଏହି ମାଟି ସାମଗ୍ରୀ ଜୟପୁର ସହରରେ ବିକ୍ରୀ କରୁଛନ୍ତି । ମାଟିରେ ତିଆରି ପାଣି ବୋତଲ ଓ ରୋଟି ସେକିବା ତାୱା, ସବୁ ଠାରୁ ଅଧିକା ଚାହିଦା ରହିଥିବା ଏହି ରାଜସ୍ଥାନୀ ପରିବାର କହୁଛନ୍ତି ।