ଛତିଶଗଡ଼ରେ ପାଗରେ ସାମାନ୍ୟ ପରିବର୍ତ୍ତନ : କମିଛି ବର୍ଷା ପରିମାଣ, ଶିଓରୀ ନାରାୟଣ ପୋଲତଳକୁ ଖସିଛି ବନ୍ୟାଜଳ

93

କନକ ବ୍ୟୁରୋ : ଛତିଶଗଡ଼ରେ ବଦଳିଛି ପାଗ । ଜାଞ୍ଜଗିରି ଓ ରାୟଗଡ଼ା ବଲୋଦାବାଜାର ଜିଲ୍ଲାରେ ବର୍ଷାର ପରିମାଣ କମ୍ ରହିଛି । ଶିଓରୀ ନାରାୟଣ ପୋଲ ତଳକୁ ଖସିଛି ବନ୍ୟାଜଳ । ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ, ବନ୍ୟାସ୍ଥିତିକୁ ନେଇ ଓଡ଼ିଶା ଓ ଛତିଶଗଡ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଯାହାର ସମାଧାନ ପାଇଁ ଆଜି ଓଡ଼ିଶା-ଛତିଶଗଡ ମଧ୍ୟରେ ହେବ ଆଲୋଚନା । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଛତିଶଗଡର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏହି ଆଲୋଚନା ହେବ । ଅପରାହ୍ନ ୪ଟା ସମୟରେ ଏହି ଆଲୋଚନା ହେବ । ଭିଡ଼ିଓ କନଫରେନ୍ସିରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହେବ । ଜଳ ପରିଚାଳନା ନେଇ ଯେଉଁ ସମସ୍ୟା ରହିଛି ସେ ବାବଦରେ ଉଭୟ ପକ୍ଷ ଆଲୋଚନା କରିବେ । ଆଉ ଏହାପରେ ହୁଏତ କୌଣସି ସମାଧାନର ବାଟ ବାହାରିବ ।

ଅନ୍ୟପଟେ ବନ୍ୟା ପାଇଁ ଓଡ଼ିଶାକୁ ଦୋଷ ଦେଇଛି ଛତିଶଗଡ଼ । ଓଡ଼ିଶା ହୀରାକୁଦ ଡ୍ୟାମରୁ ଆବଶ୍ୟକ ଜଳ ନିଷ୍କାସନ କରୁନଥିବାରୁ ବନ୍ୟାସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଏକ ବୁଲେଟିନ୍ ଜାରି ହୋଇଛି । ଯେଉଁଥିରେ ଏନେଇ ଅଭିଯୋଗ କରାଯାଇଛି । କୁହାଯାଇଛି ହୀରାକୁଦ ଜଳଧାରଣ କ୍ଷମତାରୁ ଛଡ଼ା ଯାଉଛି ମାତ୍ର ଅଧାପାଣି । ବର୍ତ୍ତମାନ ସୁଧା ପ୍ରାୟ ୪ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଛି ।