ବନ୍ୟାରେ ଭାସିଲା, ଏବେ ବୁଦ୍ଧି ପଶିଲା । ବନ୍ୟା ସ୍ଥିତି ପାଇଁ ଓଡ଼ିଶାକୁ ଦୋଷ ଦେଲା ଛତିଶଗଡ, ଅପରାହ୍ନରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

176

କନକ ବ୍ୟୁରୋ : ଛତିଶଗଡରେ ବନ୍ୟା ସ୍ଥିତି ପାଇଁ ଓଡ଼ିଶା ଦାୟୀ । କିଛି ଏଭଳି ଅଭିଯୋଗ ଆଣୁଛି ଛତିଶଗଡ । ହୀରାକୁଦରେ ଅଧିକ ସଂଖ୍ୟକ ଗେଟ୍ ନ ଖୋଲିବା କାରଣରୁ ଛତିଶଗଡରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ଅଭିଯୋଗ କରି ଆସୁଛି ଛତିଶଗଡ । ଆଉ ଏହି ଘଟଣାକୁ ନେଇ ଏବେ ଓଡ଼ିଶା ଓ ଛତିଶଗଡ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଯାହାର ସମାଧାନ ପାଇଁ ଆଜି ଓଡ଼ିଶା-ଛତିଶଗଡ ମଧ୍ୟରେ ହେବ ଆଲୋଚନା । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଛତିଶଗଡର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏହି ଆଲୋଚନା ହେବ । ଅପରାହ୍ନ ୪ଟା ସମୟରେ ଏହି ଆଲୋଚନା ହେବ । ଭିଡ଼ିଓ କନଫରେନ୍ସିରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହେବ । ଜଳ ପରିଚାଳନା ନେଇ ଯେଉଁ ସମସ୍ୟା ରହିଛି ସେ ବାବଦରେ ଉଭୟ ପକ୍ଷ ଆଲୋଚନା କରିବେ । ଆଉ ଏହାପରେ ହୁଏତ କୌଣସି ସମାଧାନର ବାଟ ବାହାରିବ ।

ଅନ୍ୟପଟେ ବନ୍ୟା ପାଇଁ ଓଡ଼ିଶାକୁ ଦୋଷ ଦେଇଛି ଛତିଶଗଡ଼ । ଓଡ଼ିଶା ହୀରାକୁଦ ଡ୍ୟାମରୁ ଆବଶ୍ୟକ ଜଳ ନିଷ୍କାସନ କରୁନଥିବାରୁ ବନ୍ୟାସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଏକ ବୁଲେଟିନ୍ ଜାରି ହୋଇଛି । ଯେଉଁଥିରେ ଏନେଇ ଅଭିଯୋଗ କରାଯାଇଛି । କୁହାଯାଇଛି ହୀରାକୁଦ ଜଳଧାରଣ କ୍ଷମତାରୁ ଛଡ଼ା ଯାଉଛି ମାତ୍ର ଅଧାପାଣି । ବର୍ତମାନ ସୁଧା ପ୍ରାୟ ୪ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଛି । ଏହା ଦ୍ୱାରା ଛତିଶଗଡ଼ରେ ଜାଂଜଗିରି ଚାମ୍ପା ଓ ରାୟଗଡ଼ରେ ବନ୍ୟାସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏନେଇ ହୀରାକୁଦ ଡ୍ୟାମର କର୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଏହା ପରେ ହୀରାକୁଦରୁ ପାଣି ଛଡ଼ାଯିବା ନେଇ ସହମତି ପ୍ରକାଶ କରିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଛତିଶଗଡ ସରକାରଙ୍କୁ ମଧ୍ୟ ଓଡ଼ିଶାରୁ ଜବାବ ମିଳିଛି । ବିଜେଡି ବିଧାୟକ ଦେବୀ ମିଶ୍ର ଗତକାଲି କହିଥିଲେ ,ପାଣି ଆସି ଘର ବୁଡିଲାଣି, ଆଲୋଚନା କଣ କରିବୁ। ୨୦୧୬ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ସେତେବେଳେ ସହମତିକୁ ଅଣଦେଖା କଲେ ରମଣ ସିଂ। ଶୁଖା ସମୟରେ ପାଣି ମାଗିଲୁ। ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ କାମ ରୋକିଲେନି। ଏବେ ଭୂପେଶ ବାଘେଲ ସରକାର ଆସି ବି କିଛି କଲେନି। ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ ପାଣି ଛାଡୁଛି।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଥିଲେ, ଛତିଶଗଡ ସରକାର ଗତ ମେ ମାସରେ ମହାନଦୀ ଶୁଖିଲା ପଡ଼ିଥିବାବେଳେ ପାଣି ଛାଡୁ ନଥିଲେ, ତାହାକୁ ଆମେ ନିନ୍ଦା କରୁଥିଲୁ । ଆଜିର ଛତିଶଗଡ ସରକାରର ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ରାଜ୍ୟ ସରକାର ଏବଂ ତାଙ୍କ ଜଳସେଚନ ବିଭାଗକୁ ଚେତାବନୀ ଦେଇ ସମୀର କହିଛନ୍ତି, ଘର ପୋଡିବ ମୂଷା କେଞ୍ଚିଏ ପାଇବ ଏ ନୀତି ଅବଲମ୍ବନ କରିବା ଯୋଗୁଁ  ଆମ୍ବାଘନୀ ବ୍ଲକରେ ଯେଉଁ ବନ୍ୟା ଦେଖା ଦେଇଛି ତାର ସମାଧାନ କରନ୍ତୁ । ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ। ସମସ୍ୟା ତ ରହିବ, କିନ୍ତୁ ଏହାର ସମାଧାନ କରନ୍ତୁ ମୁଖ୍ୟମନ୍ତ୍ରୀ ।