ତାଙ୍କୁ ଖେଳିବାକୁ ଦିଅ, ନିଶ୍ଚୟ ଫର୍ମକୁ ଫେରିବେ । କୋହଲିଙ୍କୁ ନେଇ କିଛି ଏମିତି କହିଲେ ସୌରଭ ଗାଙ୍ଗୁଲି ।

153

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । କୋହଲିଙ୍କ ବ୍ୟାଟରୁ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଉ ଏସିଆ କପରେ ଧୂଆଁଧାର ବ୍ୟାଟିଂ କରି ପୁଣିଥରେ କୋହଲି ଫର୍ମକୁ ଫେରନ୍ତୁ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି ।

ଆଉ ଏସବୁ ଭିତରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଗାଙ୍ଗୁଲିଙ୍କର ବିଶ୍ୱାସ ରହିଛି ଯେ, ଏସିଆ କପରେ କୋହଲି ନିଜର ପୁରୁଣା ଫର୍ମକୁ ନିଶ୍ଚୟ ଫେରିବେ । କାରଣ ଏସିଆ କପରେ ପ୍ରତିଥର ଭଲ ପ୍ରଦର୍ଶନ କରି ଆସିଛନ୍ତି କୋହଲି । ଏପରିକି ଏସିଆ କପରେ ନିଜର ସର୍ବୋଚ୍ଚ ସ୍କୋର କରିଛନ୍ତି କୋହଲି ।

ଗାଙ୍ଗୁଲି ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, କୋହଲିଙ୍କୁ ଅଭ୍ୟାସ କରିବାକୁ ଦିଅନ୍ତୁ ଓ ମ୍ୟାଚ୍ ଖେଳିବାକୁ ଦିଅନ୍ତୁ । କୋହଲି ଜଣେ ବଡ ଖେଳାଳୀ ଓ ଅଧିକ ରନ୍ ମଧ୍ୟ କରିଛନ୍ତି । ମୋର ଆଶା ଅଛି କୋହଲି ନିଶ୍ଚୟ ନିଜର ଫର୍ମକୁ ଫେରିବେ । କୋହଲିଙ୍କ ବ୍ୟାଟରୁ କେବଳ ଶତକ ଦେଖିବାକୁ ମିଳିବନି ବରଂ ନିଜର ପୁରୁଣା ଫର୍ମକୁ ଫେରି ପାଇବାରେ କୋହଲି ସକ୍ଷମ ହେବେ ବୋଲି କହିଛନ୍ତି ଗାଙ୍ଗୁଲି । ସେହିଭଳି ଆଇସିସି ସଭାପତି ଚର୍ଚ୍ଚାକୁ ନେଇ ଗାଙ୍ଗୁଲି କହିଛନ୍ତି, ଏହା କେବଳ ଏକ ଚର୍ଚ୍ଚା । ଏହା ଏତେ ଶୀଘ୍ର ହୁଏନି । ବୋର୍ଡ ଓ ସରକାରଙ୍କ ହାତରେ ଏହା ରହିଛି ।

ୟୁଏଇରେ ଆସନ୍ତା ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଏସିଆ କପ୍ ଖେଳାଯିବ । ଏହି ଏସିଆ କପରେ ୬ଟି ଟିମ୍ ଭାଗ ନେବେ । ଟିମ୍ ଇଣ୍ଡିଆ ନିଜର ଅଭିଯାନ ଆସନ୍ତା ୨୮ ଅଗଷ୍ଟରୁ ଆରମ୍ଭ କରିବ । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।